ଏପ୍ରିଲ ୩ ପର୍ଯ୍ୟନ୍ତ ପ୍ରତିଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା
ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରକୋପ। ଆସନ୍ତା ଏପ୍ରିଲ ୩ ପର୍ଯ୍ୟନ୍ତ ପ୍ରତିଦିନ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ହୋଇପାରେ । ଅନ୍ୟପଟେ ଆସନ୍ତା ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ। ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ତାପମାତ୍ରା ।
ଶନିବାର ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ସେଥିମଧ୍ୟରୁ ତାଳଚେର ଓ ଭବାନୀପାଟଣା ସବୁଠାରୁ ଉତ୍ତପ୍ତ ସହର ଥିଲେ। ଉଭୟ ସହରରେ ପାରଦ ୩୯ ଡିଗ୍ରୀ ଛୁଇଁଥିଲା । ଝାରସୁଗୁଡ଼ା ୩୮.୨, ସୋନପୁର ୩୮.୨ ଏବଂ ବଲାଙ୍ଗୀର ୩୮ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରୀ ଟପିଥିଲା । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ପ୍ରଭାବ ମଧ୍ୟ ଅନୁଭୂତ ହୋଇଥିଲା ।
ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ରବିବାର (୨୯ ମାର୍ଚ୍ଚ) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ାରେ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ଆଶଙ୍କା ଅଛି ।ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ ଓ ମାଲକାନଗିରିରେ ବର୍ଷା, ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ମାଡ଼ ହୋଇପାରେ ପବନ । ସୋମବାର ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନ, ଉତ୍ତର ଉପକୂଳର ଗୋଟିଏ ଦୁଇଟି ସ୍ଥାନ ସହ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକାରୁ ମଧ୍ୟମ ବର୍ଷା, ବଜ୍ରପାତ ହୋଇପାରେ । କେତେକ ସ୍ଥାନରେ ବଜ୍ରପାତ ସହ ୪୦ରୁ ୫୦ କିମି ବେଗରେ ପବନ ଆଶଙ୍କା ଅଛି ।