ଘାଟିକିଆ ଛକରେ ଗ୍ୟାସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ,ଏକାସଙ୍ଗେ ଫାଟିଗଲା ୧୭ଟି ଗ୍ୟାସ୍ ସିଲିଣ୍ଡର
ପ୍ରଚଣ୍ଡ ଶବ୍ଦ ଆଉ ଚାରିଆଡେ ନିଆଁ ଖାଲି ନିଆଁ । ସମଗ୍ର ଅଞ୍ଚଳ ଧୂଆଁମୟ । ଭୟଙ୍କର ଶବ୍ଦରେ ଥରି ଉଠିଲା ସ୍ଥାନୀୟ ଅଞ୍ଚଳ । ଯିଏ ଶବ୍ଦ ଶୁଣିଲା ସିଏ ଛାନିଆ ହୋଇଗଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯାହା ଲୋକଙ୍କୁ ଆତଙ୍କିତ କରିଦେଇଥିଲା । ନିଆଁ ଲିଭାଇବା ପାଇଁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଏମିତି କି ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ମୁତୟନ ହେଲେ । ନିଆଁ ଲିଭିଲା ବେଳକୁ ଆଉ କିଛି ନଥିଲା । ସବୁକିଛି ଛାରଖାର ହୋଇଯାଇଥିଲା ।ଭୁବନେଶ୍ୱର ଘାଟିକିଆ ଛକରେ ଥିବା ଏକ ଗ୍ୟାସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର । ଗୋଟିଏ କି ଦୁଇଟି ନୁହେଁ ଏକାସଙ୍ଗେ ଫାଟିଗଲା ୧୭ଟି ଗ୍ୟାସ୍ ସିଲିଣ୍ଡର । ଏତେ ସଂଖ୍ୟକ ଗ୍ୟାସ୍ ସିଲିଣ୍ଡର ଏକାବେଳେ ଫାଟିବା ଯୋଗୁଁ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହୋଇଥିଲା । ଫଳରେ ଆଖପାଖ ଅଞ୍ଚଳ ଲୋକେ ଭୟଭୀତ ହୋଇ ପଡିଥିଲେ । ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଭୟରେ ଦୌଡିବାକୁ ଲାଗିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏମିତିକି ନିଆଁ ଲିଭାଇବାକୁ ଦୁଇଟି ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ନିଆଁ ଆୟତ୍ତ ହେବା ବେଳକୁ ସବୁକିଛି ଭାଙ୍ଗିରୁଜି ଛାରଖାର ହୋଇଯାଇଥିଲା । ସିଲିଣ୍ଡର ରଖାଯାଇଥିବା ଘରଟି ଭାଙ୍ଗିରୁଜି ଯାଇଥିଲା ।ତେବେ ଏଭଳି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନରେ ଥିବା ଦୁଇ ଜଣ ବ୍ୟବସାୟୀ । ବିସ୍ଫୋରଣ ପରେ ଗ୍ୟାସ୍ ସିଲିଣ୍ଡର ରଖାଯାଇଥିବା ଘର ଭିତରୁ ଆହତ ଅବସ୍ଥାରେ ଦୁଇ ଜଣ ଦୋକାନ ବାହାରି ଏକ ଅଟୋରେ ପଳାଇଥିଲେ । ଜଳନ୍ତା ଗ୍ୟାସ୍ ସିଲିଣ୍ଡର ଫାଟି କିଛି ଦୂରରେ ପଡିଥିଲା ।ଗୋଟିଏ ପଟେ ଗ୍ୟାସ୍ ସିଲିଣ୍ଡର ପାଇଁ ସବୁଠି ହାହାକାର ସୃଷ୍ଟି ହୋଇଥିବା ବେଳେ ଏତେ ସଂଖ୍ୟକ ଗ୍ୟାସ୍ ଟାଙ୍କି ଏକସଙ୍ଗେ ଫାଟିବାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ସିଲିଣ୍ଡର ପାଇଁ ସାଧାରଣ ଲୋକଟିଏ ଡହଳ ବିକଳ ହେଉଛି । ହେଲେ ଏଠାରେ ଏତେ ସଂଖ୍ୟକ ଗ୍ୟାସ୍ ସିଲିଣ୍ଡର ଆସିଲା କେଉଁଠୁ ? ବ୍ଲାକ୍ରେ ଚଢ଼ା ଦରରେ ଗ୍ୟାସ୍ ବିକ୍ରି କରିବାକୁ ସିଲିଣ୍ଡର ରଖିଥିଲେ କି ଗ୍ୟାସ୍ ବ୍ୟବସାୟୀ । ରାଜ୍ୟରେ ବର୍ତ୍ତମାନ ସମୟରେ LPG ଗ୍ୟାସ୍ ସିଲିଣ୍ଡର ଅଭାବ ଏବଂ ଦର ବୃଦ୍ଧିକୁ ନେଇ ବିଧାନସଭାରେ ତୀବ୍ର ବିରୋଧ ଓ ହଙ୍ଗାମା ହୋଇଥିଲା । ଗ୍ରାହକ ମାନେ ବୁକିଂ କରିବା ପରେ ମଧ୍ୟ ସହଜରେ ସିଲିଣ୍ଡର ପାଉନାହାନ୍ତି, ଯାହା ଫଳରେ ବ୍ଲାକ୍ରେ ବିକ୍ରି ଏବଂ ରୋଷେଇରେ ସମସ୍ୟା ଉପୁଜିଛି । ଯାହାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା ।