ସରିଛି ରାଜ୍ୟସଭା ନିର୍ବାଚନ। ଆସିଛି ଫଳାଫଳ। ଯାହା ଆଶା କରାଯାଉଥଲା… ସେୟା ହିଁ ଘଟିଲା। ୩ ରାଜ୍ୟସଭା ଆସନ ହାତେଇବାରେ ସଫଳ ହେଲା ବିଜେପି। ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ବିଜୟୀ ହୋଇଥିବା ବେଳେ, ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଚତୁର୍ଥ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଛନ୍ତି। ଆଉ ଏହା ସହ ବିଜେପି ରାଜ୍ୟସଭାରେ ଯେଉଁ ବିଜୟ କଥା କହୁଥିଲା ତାହା ପ୍ରମାଣିତ ହୋଇଛି। ସେହିଭଳି ବିଜେଡିର ସଂତୃପ୍ତ ମିଶ୍ର ତୃତୀୟ ପ୍ରାର୍ଥୀ ଭାବରେ ବିଜୟୀ ହୋଇଛନ୍ତି। ତେବେ ବିଜେପିର ୨ ନିର୍ବାଚିତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ବିଜୟ ପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ବିଜେପି ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚଣ୍ଡ ବିଜୟ ହୋଇଛି। ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ। ସବୁବେଳେ ଓଡ଼ିଶାର ସ୍ବରକୁ ଶାଣିତ କରିବୁ। ଲୋକଙ୍କ ସମର୍ଥନ ଯୋଗୁ ରାଜ୍ୟସଭା ନିର୍ବାଚନରେ ଏଭଳି ଅଦ୍ବିତୀୟ ସଫଳତା ମିଳିଲା। ୩ ଜଣ ପ୍ରାର୍ଥୀଙ୍କର ବିଜୟ ଆମର ପ୍ରତିବଦ୍ଧତା । ୩ ବିଜୟୀ ପ୍ରାର୍ଥୀ ଓଡ଼ିଶାର ସ୍ବର ଉଠାଇବେ। ସେହିଭଳି ମନମୋହନ ସାମଲ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଲୋକଙ୍କ ଆଶୀର୍ବାଦ ଯୋଗୁ ଆମେ ବିଜୟୀ ହୋଇଛୁ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ବିଜୟ ପରେ ଦିଲ୍ଲୀପ ରାୟ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ଏ ବିଜୟ ଓଡ଼ିଶାବାସୀଙ୍କର । ବିଜେପି, ଦଳୀୟ ନେତୃତ୍ବକୁ ଧନ୍ୟବାଦ ଦେଉଛି। ନିର୍ବାଚନରେ ବିଜୟ ପାଇଁ ବିଜୁ ଲିଗାସି କାମ କଲା। ସେପଟେ ସ୍ବାଧୀନ ପ୍ରାର୍ଥୀ ଦତ୍ତେଶ୍ବର ହୋତା କହିଛନ୍ତି, ପରାଜୟ ପାଇଁ ମନରେ ସାମାନ୍ୟ ଦୁଃଖ ନାହିଁ। ମୋତେ ଏଭଳି ଏକ ପ୍ଲାଟଫର୍ମ ମିଳିବା ବଡ଼ କଥା। ଏଭଳି ସୁଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ।
ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନ ଖୁବ୍ ରୋଚକ ଥିଲା। ରିସୋର୍ଟ ରାଜନୀତି, ଘୋଡ଼ା ବେପାର, ଡିଲ୍, ଅପରେସନ, ପ୍ରତିଶୋଧ… ଏସବୁ ଏଥରର ରାଜ୍ୟସଭା ନିର୍ବାଚନକୁ ଖୁବ୍ ରୋଚକ କରିଥିଲା। ଆହୁରି ପୁଣି ଏଥର ରାଜ୍ୟସଭା ନିର୍ବାଚନ ସମୟରେ ଭୋଟିଂ ହେଉଥିବା କୋଠରୀରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। କୋଠରୀରେ ମୁହାଁମୁହିଁ ହୋଇଥିଲେ ବିଜେଡି ଏବଂ କଂଗ୍ରେସ ସଦସ୍ୟ। ହେଲେ ଶେଷରେ ବିଜେପି ରାଜ୍ୟସଭା ନିର୍ବାଚନ ଜିତିବାରେ ସଫଳ ହୋଇଛି।