ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତର ବିମାନସେବା ଶିଳ୍ପ ଉପରେ ପଡ଼ିଛି ,୩୩.୫ ପ୍ରତିଶତ କମିଲା ଅନ୍ତର୍ଜାତୀୟ ଉଡ଼ାଣ କରିଥିବା ଯାତ୍ରୀଙ୍କ ସଂଖ୍ୟା
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତର ବିମାନସେବା ଶିଳ୍ପ ଉପରେ ପଡ଼ିଛି। ଫେବ୍ରୁଆରି ୨୮ ତାରିଖରେ ହଠାତ୍ ଯୁଦ୍ଧ ଆରମ୍ଭ ହେବା କାରଣରୁ ସେଠାକାର ଅନେକ ଦେଶରେ ଆକାଶମାର୍ଗ ବନ୍ଦ ହୋଇଯାଇଥିଲା। ଏଥିସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଫଳରେ ବିମାନ ଇନ୍ଧନ ବି ମହଙ୍ଗା ହୋଇଯାଇଥିଲା। ବିମାନ ସେବା ଶିଳ୍ପ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଛି। ସୂଚନା ଅନୁଯାୟୀ ମାର୍ଚ୍ଚ ମାସର ପ୍ରଥମ ୧୫ ଦିନରେ ଭାରତରେ ବିମାନରେ ଯାତ୍ରା କରିଥିବା ଲୋକଙ୍କ ସଂଖ୍ୟା ଦୈନିକ ହାରାହାରି ୪,୭୯,୨୪୭ ରହିଛି। ଯୁଦ୍ଧ ପୂର୍ବ ୧୫ ଦିନରେ ଦୈନିକ ହାରାହାରି ୫,୦୮,୫୨୫ ଜଣ ବିମାନରେ ଯାତ୍ରା କରିଥିଲେ। ତେଣୁ ଯୁଦ୍ଧ ପୂର୍ବର ୧୫ ଦିନ ତୁଳନାରେ ଯୁଦ୍ଧ ପର ୧୫ ଦିନରେ ବିମାନଯାତ୍ରୀଙ୍କ ସଂଖ୍ୟା ୫.୮ ପ୍ରତିଶତ ହ୍ରାସ ପାଇଛି।ଅନ୍ତର୍ଜାତୀୟ ଉଡ଼ାଣରେ ଭାରତର ସ୍ଥିତି ଘରୋଇ ଉଡ଼ାଣ ତୁଳନାରେ ଅଧିକ ଖରାପ ରହିଛି। ଯୁଦ୍ଧ ପୂର୍ବରୁ ଦୈନିକ ହାରାହାରି ୧,୨୧,୧୪୪ ଜଣ ଅନ୍ତର୍ଜାତୀୟ ଉଡ଼ାଣ କରିଥିବାବେଳେ ଯୁଦ୍ଧ ପରେ ଏ କ୍ଷେତ୍ରରେ ଦୈନିକ ଯାତ୍ରୀ ସଂଖ୍ୟା ୮୦,୫୭୧କୁ ହ୍ରାସ ପାଇଛି। ଅର୍ଥାତ୍ ଅନ୍ତର୍ଜାତୀୟ ଉଡ଼ାଣ କରିଥିବା ଯାତ୍ରୀଙ୍କ ସଂଖ୍ୟା ପାଖାପାଖି ୩୩.୫ ପ୍ରତିଶତ କମିଯାଇଛି। ମାର୍ଚ୍ଚ ୩ ତାରିଖରେ ଏହି ସଂଖ୍ୟା ୬୨,୨୧୨ ଭଳି ସ୍ତରକୁ ଖସିଆସିଥିଲା। କିନ୍ତୁ ତାହା ପରଠାରୁ ଏହି ସଂଖ୍ୟାରେ ଉନ୍ନତି ଆସିଛି। ମାର୍ଚ୍ଚ ୧୫ରେ ଏହି ସଂଖ୍ୟା ୯୩,୪୯୧କୁ ବୃଦ୍ଧି ପାଇଛି।