ରାପର୍ ବାଦଶାହଙ୍କୁ ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍

ବଲିଉଡରେ ଲୋକପ୍ରିୟ ଗାୟକ ଓ ରାପର୍ ବାଦଶାହଙ୍କୁ ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତାଙ୍କୁ ହତ୍ୟା ଧମକ ଦେଇଛି । ଶନିବାର ପାନିପତରେ ହୋଇଥିବା ଏକ ଗୁଳିକାଣ୍ଡ ମାମଲାରେ ନିଜକୁ ଦାୟୀ କରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରିଛି । ରନ୍ଦୀପ ମାଲିକ ଅନିଲ ପଣ୍ଡିତ ନାମକ ଆକାଉଣ୍ଟରୁ ଆସିଛି ।

ବାଦଶାହଙ୍କ ପାଇଁ ଜାରି ହୋଇଥିବା ମେସେଜରେ ଲେଖାଯାଇଛି, ଜୟ ମହାକାଳ, ଜୟ ଶ୍ରୀରାମ । ଆଜି ଅସଂଧ ରୋଡ୍, ପାନିପତରେ ୱେଷ୍ଟର୍ନ ୟୁନିୟନ୍ (ହୱାଲା ବେପାର) ସହ ଜଡ଼ିତ ଗୈରୀ ଓ ଶୈଙ୍କୀଙ୍କ କାର୍ଯ୍ୟାଳୟରେ ଯେଉଁ ଗୁଳିକାଣ୍ଡ ହୋଇଛି, ଆମେ ରନ୍ଦୀପ ମଲିକ ଓ ଅନିଲ ପଣ୍ଡିତ ଏଥିପାଇଁ ନିଜକୁ ଦାୟୀ କରୁଛୁ । ଏମାନେ ହୱାଲା ଜରିଆରେ ଦେଶର ଅର୍ଥ ବିଦେଶକୁ ପଠାଇ ଦେଶର ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିଲେ । ଆମେ ଉଭୟଙ୍କୁ ଫୋନ୍ କରି ଚେତାବନୀ ଦେଇଥିଲୁ । କିନ୍ତୁ ସେମାନଙ୍କ ମୁଣ୍ଡରେ ପଶିଲା ନାହିଁ । ଆଜିର ଘଟଣା କେବଳ ଟ୍ରେଲର୍, ଫିଲ୍ମ ବାକି ଅଛି । ଯେଉଁମାନେ ହୱାଲା କାମ କରୁଛନ୍ତି, ସମୟ ଥାଉ ଥାଉ ସୁଧୁରି ଯାଆନ୍ତୁ, ନଚେତ୍ ପରିଣାମ ଖରାପ ହେବ ।

ଏହି ଗ୍ୟାଙ୍ଗ୍ ବାଦଶାହଙ୍କୁ ଧମକ ଦେଇ ଲେଖିଛି, ଗାୟକ ବାଦଶାହ, ତୁ ହରିୟାଣା ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଛୁ । ୨୦୨୪ରେ ତୋର କ୍ଲବରେ ତୋତେ ଟ୍ରେଲର୍ ଦେଖାଇଥିଲୁ, ଏଥର ସିଧା ତୋର ମଥାରେ ଗୁଳି ମାରିବୁ ।’  ବାଦଶାହ ଏବେ ହରିୟାଣା ଗୀତ ଟଟୀରୀକୁ ନେଇ ଫସିଛନ୍ତି । ତାଙ୍କ ଗିରଫଦାରୀକୁ ନେଇ ଦାବି ହେଉଛି ।

Leave a comment