ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ,ନିର୍ଦ୍ଦେଶନାମା ଜାରି କଲା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଏ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏନେଇ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ ଏବଂ ପୌରପାଳିକା କମିସନରଙ୍କୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଶିଶୁ ଭିକ୍ଷାବୃତ୍ତିର ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ‘ଜିଲ୍ଲା ଟାସ୍କ ଫୋର୍ସ’ ଗଠନ କରାଯିବ। ଟିମ୍‌ରେ ପୋଲିସ ଅଧୀକ୍ଷକ, ପୌର କମିସନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶ୍ରମ ଅଧିକାରୀ ପ୍ରମୁଖ ସଦସ୍ୟ ରହିବେ। ଟାସ୍କଫୋର୍ସ ନିୟମିତ ଭାବେ ଚଢ଼ାଉ କରି ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରିବେ। ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ତୁରନ୍ତ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇ ସେମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବ। ସେଠାରେ ସେମାନଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କାଉନସେଲିଂ ପ୍ରଦାନ କରାଯିବ  ।

ଯେଉଁ ବ୍ୟକ୍ତି ବା ଗୋଷ୍ଠୀ ଶିଶୁମାନଙ୍କୁ ଜବରଦସ୍ତି ଭିକ୍ଷାବୃତ୍ତିରେ ନିୟୋଜିତ କରୁଛନ୍ତି, ସେହିଭଳି ଦଲାଲଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସର୍ବସାଧାରଣଙ୍କୁ ଶିଶୁ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହିତ ନ କରିବା ପାଇଁ ସଚେତନତା ସୃଷ୍ଟି କରାଯିବ। ଯଦି କେହି ଏପରି ଘଟଣା ଦେଖନ୍ତି, ତେବେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ ନମ୍ବର ୧୦୯୮ କୁ ସୂଚନା ଦେବାକୁ କୁହାଯାଇଛି। ଏ ଅଭିଯାନ ସମ୍ପର୍କରେ ପ୍ରତି ମାସରେ ଏକ ଅନୁପାଳନ ରିପୋର୍ଟ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ସମସ୍ତ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

Leave a comment