ନିଜର ପଡ଼ୋଶୀ ଦେଶ ଉପରେ ଆକ୍ରମଣ ନ କରିବା ପାଇଁ ଇରାନକୁ ହମାସ ର ଅପିଲ

ଘନେଇବାରେ ଲାଗିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଏହା ମଧ୍ୟରେ ପାଲେଷ୍ଟାଇନ ମିଲିଟାଣ୍ଟ ଗ୍ରୁପ ହମାସ ଇରାନକୁ ବଡ଼ ଆହ୍ଵାନ ଦେଇଛି। ନିଜର ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବା ଇରାନ ବନ୍ଦ କରୁ ବୋଲି ହମାସ କହିଛି। ଏହା ସହିତ ହମାସ ଇରାନ ସମର୍ଥନରେ ବି ବୟାନ ଦେଇଛି। ହମାସର ଏହି ବୟାନ ଏମିତି ସମୟରେ ଆସିଛି, ଯେତେବେଳେ ତେହରାନ ନିଜର ପଡ଼ୋଶୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛି। ଇରାନ କହିଛି ଯେ, ଆମର ପଡ଼ୋଶୀ ଦେଶ ତେହରାନ ଉପରେ ଆକ୍ରମଣ ପାଇଁ ନିଜର ବିମାନ ବନ୍ଦରକୁ ବ୍ୟବହାର ପାଇଁ ଆମେରିକାକୁ ଅନୁମତି ଦେଇଥିଲେ।

ପଡ଼ୋଶୀକୁ ଟାର୍ଗେଟ୍ ନ କରୁ ଇରାନ

ହମାସ ନିଜ ବୟାନରେ କହିଛି ଯେ, ଅନ୍ତର୍ଜାତୀୟ ମାନଦଣ୍ଡ ଓ ଆଇନ ଅନୁସାରେ, ଇରାନ ନିଜର ପଡ଼ୋଶୀ ଦେଶକୁ ଟାର୍ଗେଟ୍ ନ କରୁ। ନିକଟରେ ହମାସ ଇରାନ ସର୍ବୋଚ୍ଚ ନେତା ଅଲୀ ଖାମେନିଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଥିଲା। ଆମେରିକା ଓ ଇସ୍ରାଏଲର ମିଳିତ ଅପରେସନରେ ଖାମେନିଙ୍କ ମୃତ୍ୟୁ ଘଟିଛି। ହମାସ କହିଛି ଏହା ଏକ ଘୃଣ୍ୟ କାମ। ଖାମେନି ସର୍ବଦା ପାଲେଷ୍ଟାଇନର ସମର୍ଥନ କରି ଆସିଥିଲେ। ସେ ରାଜନୈତିକ ହେଉ କି କୂଟନୈତିକ ଅବା ସାମରିକ ଖାମେନି ଆମ ଲୋକଙ୍କୁ ସବୁ ପ୍ରକାରର ସହାୟତ ଦେଉଥିଲେ।

ଖାମେନିଙ୍କ ହତ୍ୟାର ବଦଲା

ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଇରାନ ଉପରେ ମିଳିତ ଅଭିଯାନ ଚଳାଇଥିଲେ। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଅଲ୍ଲୀ ଖାମେନିଙ୍କ ହତ୍ୟା କରାଯାଇଥିଲା।ଓ୍ଵାଶିଂଟନ ଓ ତେହରାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିବା ପରେ ଏହି ଅଭିଯାନ ଚଳାଇଥିଲା ଆମେରିକା ଓ ଇସ୍ରାଏଲ। ବିଶେଷ କରି ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ରକ୍ତ ଚାଉଳ ଚୋବାଉଥିଲେ ଟ୍ରମ୍ପ। ଆକ୍ରମଣର ଜବାବ ଦେଇ ଇରାନ ବାହାରିନ, କୁଏତ, ୟୁଏଇ, କତାର, ସାଉଦି ଆରବ, ଜୋର୍ଡାନ ଏବଂ ଆଜାରବୈଜାନରେ ସ୍ଥିତ ଆମେରିକାର ମିଲିଟାରୀ ବେସ ଉପରେ ହମଲା କରିଥିଲା।

ଖର୍ଗ ଉପରେ ବଡ଼ ଆକ୍ରମଣ

ନିକଟରେ ଇରାନ ଉପରେ ବିଜୟୀ ହୋଇଥିବା ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ବିଜୟ ଲାଭ କରିଥିବା ଦାବି କରିଥିଲେ। ଏହା ମଧ୍ୟରେ ମାର୍ଚ୍ଚ ୧୩ରେ ଆମେରିକା ସେନା ଉତ୍ତର ପାରସ୍ୟ ଉପସାଗରରେ ଅବସ୍ଥିତ ଇରାନର ପ୍ରମୁଖ ତୈଳ ରପ୍ତାନକାରୀ ଟର୍ମିନାଲ ଖର୍ଗ ଦ୍ଵୀପ ଉପରେ ଜୋରଦାର ହମଲା କରିଛି। ଟ୍ରମ୍ପ କହିଛନ୍ତି, ଶାଳୀନତା ଦୃଷ୍ଟିରୁ ସେ ଦ୍ଵୀପର ତୈଳ ଭିତ୍ତିଭୂମିକୁ ନଷ୍ଟ କରି ନାହାନ୍ତି। ଯଦି ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳରେ ହସ୍ତକ୍ଷେପ କରେ ତେବେ ସେ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବେ।

Leave a comment