୩ କୋଟି ବ୍ୟାରେଲ ରୁଷ ତେଲ କ୍ରୟ କଲା ଭାରତ
ଇରାନ ଇସ୍ରାଏଲ ମଧ୍ୟରେ ଚାଲିଥବା ଯୁଦ୍ଧ ମଧ୍ୟରେ ହର୍ମୁଜ ଜଳପଥ ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହେବା ପରେ ଭାରତ ଏବେ ରୁଷ ତେଲ ପାଇଁ ଅଣ୍ଟା ଭିଡ଼ିଛି । ଆମେରିକା ମଧ୍ୟ ରୁଷ ତେଲ କିଣିବା ପାଇଁ ଭାରତକୁ ଏପ୍ରିଲ ୩ ପର୍ଯ୍ୟନ୍ତ ଛାଡ଼ ପ୍ରଦାନ କରିଛି । ତେଣୁ ଭାରତ ପ୍ରାୟ ୩ କୋଟି ବ୍ୟାରେଲ ରୁଷ ତେଲ କ୍ରୟ କରିଥିବା ବ୍ଲୁମବର୍ଗ ପକ୍ଷରୁ ଜାରି ଏକ ରିପୋର୍ଟରୁ ଜଣାପଡ଼ିଛି ।
ନିକଟରେ ଏସୀୟ ସମୁଦ୍ରରେ ଫସି ରହିଥିବା ରୁଷ ତେଲ ବୋଝେଇ ଜାହାଜଗୁଡ଼ିକରୁ ଅଶୋଧିତ ତୈଳ କିଣିବା ପାଇଁ ଆମେରିକା ଭାରତକୁ ୩୦ ଦିନର ଛାଡ଼ ପ୍ରଦାନ କରିଥିଲା । ରିପୋର୍ଟ ଅନୁସାରେ, ଆମେରିକାର ଛାଡ଼ ପରେ ଭାରତୀୟ ତୈଳ ନିଗମ(ଆଇଓସି) ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସମେତ ଅନ୍ୟାନ୍ୟ ଭାରତୀୟ ବିଶୋଧନକାରୀମାନେ ସ୍ପଟ୍ ବଜାରରେ ଉପଲବ୍ଧ ସମସ୍ତ ରୁଷ ତେଲ କିଣିନେଇଛନ୍ତି ।
ରିପୋର୍ଟ ଅନୁସାରେ, ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ହମ୍ଲା ପରେ ହୋର୍ମୁଜ ଜଳପଥକୁ ବନ୍ଦ କରିଦେଇଛି ଇରାନ । ଫଳରେ ଏହି ବାଟ ଦେଇ ହେଉଥିବା ତୈଳ ଯୋଗାଣ ବ୍ୟାହତ ହୋଇଛି । ଏଣୁ ଭାରତୀୟ ବିଶୋଧନକାରୀମାନେ ରୁଷ ତୈଳ ଜାହାଜଗୁଡ଼ିକରୁ ତୈଳ ବୁକ୍ କରି ନେଇଛନ୍ତି, ଯାହା ପୂର୍ବରୁ ହିଁ ଏସୀୟ ସମୁଦ୍ରରେ ଥିଲେ, କିନ୍ତୁ କ୍ରେତା ମିଳୁ ନ ଥିଲେ ।
ସୂତ୍ର ଅନୁସାରେ, ଇଣ୍ଡିଆନ ଅଏଲ ପାଖାପାଖି ୧ କୋଟି ବ୍ୟାରେଲ ଏବଂ ରିଲାଏନ୍ସ ବି ଅନ୍ୟୁନ ୧ କୋଟି ବ୍ୟାରେଲ ତେଲ କ୍ରୟ କରିଛି । ଅବଶିଷ୍ଟ ଅଶୋଧିତ ତୈଳ ଅନ୍ୟ ଭାରତୀୟ ବିଶୋଧନକାରୀମାନେ କ୍ରୟ କରିଛନ୍ତି । ତଥ୍ୟରୁ ଜଣାପଡ଼ିଛି ଯେ, ରୁଷ ଜାହାଜ ‘ମାୟଲୋ’ ଏବଂ ‘ସାରା’ ଭଳି କେତେକ ବଡ଼ ଟ୍ୟାଙ୍କର, ଯାହା ପୂର୍ବରୁ ସିଙ୍ଗାପୁର ଆଡ଼କୁ ଯାଉଥିଲେ, ସେମାନେ ଏବେ ଭାରତୀୟ ବନ୍ଦର ଆଡ଼କୁ ଦିଗ ବଦଳାଇଛନ୍ତି । ଆମେରିକାର ଛାଡ଼ ମିଳିବା ପରେ ଏହି ଜାହାଜଗୁଡ଼ିକ ଦିଗ ପରିବର୍ତ୍ତନ କରିଛନ୍ତି ।
ରୁଷ ଏଥର ୟୁରାଲ୍ସ, ଇଏସ୍ପିଓ ଏବଂ ବରାଣ୍ଡେ ଭଳି ଗ୍ରେଡ୍ ତେଲ ଅଫର୍ କରିଛି । ଗତ କିଛି ମାସ ହେବ ଭାରତ ରୁଷରୁ ତେଲ କ୍ରୟ କମ୍ କରିଥିଲା ଏବଂ ସାଉଦି ଆରବ ଓ ଇରାକରୁ ଅଧିକ ତେଲ ସଂଗ୍ରହ କରିଥିଲା । ତଥ୍ୟ ଅନୁସାରେ, ଫେବ୍ରୁଆରୀରେ ରୁଷରୁ ତୈଳ ଆମଦାନି ହ୍ରାସ ପାଇ ଦୈନିକ ୧୦.୬ ଲକ୍ଷ ବ୍ୟାରେଲ୍କୁ ଖସିଆସିଥିଲା, ଯାହା ୨୦୨୪ ମଧ୍ୟଭାଗରେ ଦୈନିକ ୨୦ ଲକ୍ଷ ବ୍ୟାରେଲରୁ ଅଧିକ ଥିଲା । ଏବେ ମଧ୍ୟପ୍ରାଚ୍ୟରେ ସଂକଟ କାରଣରୁ ପୁଣି ଭାରତ ରୁଷ ଆଡ଼କୁ ମୁହଁ ବୁଲାଇଛି, ଯଦ୍ଦ୍ୱାରା ଦେଶରେ ଶକ୍ତି ସଂକଟକୁ ନିୟନ୍ତ୍ରଣ କରାଯାଇପାରିବ ।
୭୦% ଅଶୋଧିତ ତୈଳ ବିକଳ୍ପ ମାର୍ଗ ଦେଇ ଆସିବ ଇରାନ ହମୁର୍ଜ ଜଳମାର୍ଗ ବନ୍ଦ କରିଦେଇଛି, ଯେଉଁ ପଥ ଦେଇ ବିଶ୍ୱର ୨୦% ତୈଳ ଯୋଗାଣ ହୋଇଥାଏ। ସେହିଭଳି ଭାରତ ଏହାର ଆବଶ୍ୟକତାର ୫୦% ଅଶୋଧିତ ତୈଳ ଏବଂ ୫୪% ଏଲ୍ଏନ୍ଜି ଏହି ରାସ୍ତାରେ ମଗାଇଥାଏ । କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖି ଭାରତ ରଣନୀତି ବଦଳାଇଛି ଏବଂ ହୋର୍ମୁଜ ଉପରେ ନିର୍ଭରତା କମ୍ କରିଦେଇଛି ।
ହୋର୍ମୁଜ ପରିସରରେ ଆସୁ ନ ଥିବା ବାଟଗୁଡିକରେ ଅଶୋଧିତ ତୈଳ ଆମଦାନିକୁ ୧୦% ବଢ଼ାଇଛି ଭାରତ। ପୂର୍ବରୁ ଭାରତ ଏହାର ଆବଶ୍ୟକତାର ୬୦% ଅଶୋଧିତ ତୈଳ ଅନ୍ୟ ବାଟ ଦେଇ ଆଣୁଥିଲା, ଯାହାକୁ ଏବେ ୭୦% କରିଦେଇଛି । ଫଳରେ ମଧ୍ୟପ୍ରାଚ୍ୟ ଅସ୍ଥିରତାର ପ୍ରଭାବ ଭାରତର ଯୋଗାଣ ଶୃଙ୍ଖଳ ଉପରେ କମ୍ ରହିବ।