ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବ ଆଇପିଏଲ,ପ୍ରଥମ ୨୦ ମ୍ୟାଚ୍ ଲାଗି ସୂଚୀ ଘୋଷିତ
ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ପ୍ରଥମ ୨୦ ମ୍ୟାଚ୍ ଲାଗି ସୂଚୀ ବୁଧବାର ଘୋଷିତ ହୋଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ୧୦ ଦଳ ଭାଗନେଉଥିଲା ବେଳେ ମୋଟ ୮୪ ମ୍ୟାଚ୍ ଖେଳାଯିବ। ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳର ବିଧାନସଭା ନିର୍ବାଚନ ଥିବାରୁ ଏବେ କେବଳ ପ୍ରଥମ ପର୍ଯ୍ୟାୟ ଲାଗି ସୂଚୀ ଘୋଷିତ ହୋଇଛି। ଏହି ରାଜ୍ୟଗୁଡ଼ିକ ଲାଗି ନିର୍ବାଚନ ତାରିଖ ଘୋଷଣା ପରେ ଅବଶିଷ୍ଟ ମ୍ୟାଚ୍ ସୂଚୀ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
ଡିଫେଣ୍ଡିଂ ବିଜେତା ରୟାଲ ଚ୍ୟାଲେଞ୍ଜସ ବେଙ୍ଗାଳୁର(ଆର୍ସିବି) ଓ ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ମୁକାବିଲାରୁ ଚଳିତ ସଂସ୍କରଣର ଶୁଭାରମ୍ଭ ହେବ। ଏହି ଉଦ୍ଘାଟନୀ ମୁକାବିଲା ଆର୍ସିବିର ଘରୋଇ ପଡ଼ିଆ ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯିବ। ହେଲେ ଏହି ୨୮ ତାରିଖ ମ୍ୟାଚ୍ କର୍ଣ୍ଣାଟକ ସରକାରଙ୍କ ଅନୁମତି ଅପେକ୍ଷା ରହିଛି। ୧୩ ତାରିଖରେ ସରକାରଙ୍କ ଦ୍ବାରା ଗଠିତ କମିଟି ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ଯାଞ୍ଚ କରିବେ। ଏହାପରେ ଏଠାରେ ମ୍ୟାଚ୍ ଆୟୋଜନ ଲାଗି ପ୍ରସ୍ତୁତି କାର୍ଯ୍ୟ ହେବ ବୋଲି ଆଇପିଏଲ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଗତ ବର୍ଷ ଏଠାରେ ଆର୍ସିବିର ଆଇପିଏଲ୍ ବିଜୟ ଉତ୍ସବ ପାଳନ ବେଳେ ଦଳଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଷ୍ଟାଡିୟମ୍ରେ ମ୍ୟାଚ୍ କରାଇବା ନେଇ ବାସନ୍ଦ ଲାଗିଥିଲା। ନିକଟରେ କର୍ଣ୍ଣାଟକ ସରକାର ଆଇପିଏଲ୍ ମ୍ୟାଚ୍ ଲାଗ ଅନୁମତି ଦେଇଥିଲେ।
ଏହି ୧୯ତମ ସଂସ୍କରଣର ଦ୍ବିତୀୟ ମ୍ୟାଚ୍ ୱାଙ୍ଖ୍ଡ଼େ ଷ୍ଟାଡିୟମ୍ରେ ଖେଳାଯିବ। ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲ୍କାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ। ପ୍ରଥମ ସପ୍ତାହାନ୍ତରେ ଡବଲ୍ ହେଡର୍ ମ୍ୟାଚ୍ ନଥିଲା ବେଳେ ଘୋଷିତ ୨୦ ମ୍ୟାଚ୍ ସୂଚୀରେ ୪ଟି ଡବଲ୍ ହେଡର୍ ମ୍ୟାଚ୍ (ଏପ୍ରିଲ ୪-୫ ଓ ୧୧-୧୨) ରଖାଯାଇଛି।