ନନ୍ଦନକାନନ ପାଇଁ ଖୁସି ଖବର । ଯାଇଥିଲେ ପୁରୁଣା, ଆସିଲେ ନୂଆ । ୧୫ ବଦଳରେ ଆସିଲେ ୧୧ । ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼ । ସଂଗରୋଧରେ ରହିବା ପରେ ଛଡ଼ାଯିବ ଖୁଆଡ଼ରେ । କର୍ତ୍ତୃପକ୍ଷଙ୍କ ଖୁସି କହିଲେ ନସରେ । ପର୍ଯ୍ୟଟକଙ୍କ ମଧ୍ୟରେ ରହିଛି ବେଶ୍ ଉତ୍କଣ୍ଠା । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶୋଭା ବଢ଼ାଇବ ରିଙ୍ଗଟେଲ ଲେମୁର । ନୂଆ କରି ରିଙ୍ଗଟେଲ ଲେମୁରକୁ ଦେଖିବାକୁ ପାଇବେ ପର୍ଯ୍ୟଟକ ।
ଆସିଲେ ୫ ପ୍ରଜାତିର ୧୧ ଜୀବଜନ୍ତୁ :
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି । ଏଥିରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବଳିଆ କୁକୁର, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରିଙ୍ଗଟେଲ ଲେମୁର, ଗୋଟିଏ ଅଣ୍ଡିରା କୁକାଟୁଆ, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ନୀଳଗାଈ ଓ ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ବନେଟ ମାଙ୍କଡ଼ ଆସିଛନ୍ତି । ବୁଧବାର ଭୋରରୁ ଏହି ଜୀବଜନ୍ତୁ ମାନେ ଆସି ନନ୍ଦନକାନନରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା କରାଯିବା ପରେ ପ୍ରାଣୀ ଉଦ୍ୟାନର ସଂଗରୋଧ ଗୃହରେ ରଖାଯାଇଛି । ୧୫ରୁ ୩୦ ଦିନ ରହିବା ପରେ ସେମାନଙ୍କୁ ଖୁଆଡରେ ଛଡ଼ାଯିବ ।ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବିଶାଖାପାଟଣା ଇନ୍ଦିରାଗାନ୍ଧୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜନ୍ତୁ ଅଦଳବଦଳ କରିବା ଦ୍ଵାରା ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ବଦଳିବା ସହିତ ମୃତ୍ୟୁହାର କମିପାରିବ । ଏଥିପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଥିଲେ । ଅଦଳ ବଦଳ ପ୍ରକ୍ରିୟା ଯୋଗୁଁ ପର୍ଯ୍ୟଟକ ନୂଆ ଜନ୍ତୁ ଭାବରେ ରିଙ୍ଗଟେଲ ଲେମୁର ଦେଖିପାରିବେ ।