ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ

ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ ଆମେ କୌଣସି ପରିସ୍ଥିତିରେ ବି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦିଲ୍ଲୀ ଯିବାକୁ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ଆବଶ୍ୟକ ପଡେ ଆମେ ତାଙ୍କ ଲାଗି ଆମ ଜୀବନ ଦେଇ ଦେବୁ ହେଲେ ଦିଲ୍ଲୀ ଯିବାକୁ ଦେବୁନି। ସେ ପାଟନାସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନର ଠିକ ବାହାରେ ଶୁକ୍ରବାର ଆମରଣ ଅନଶନ ଆରମ୍ଭ କରିଦେଇଛନ୍ତି। ସେ ଏକ ବ୍ୟାନରରେ ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ରାଜ୍ୟରେ ଜେଡିୟୁ କାର୍ଯ୍ୟକର୍ତ୍ତାଙ୍କ ରୋଷ ବଢି ଯାଇଛି। ଏହା ପୂର୍ବରୁ ଜେଡିୟୁ କାର୍ଯ୍ୟକର୍ତ୍ତାମାନେ ପୁରା ବିହାରରେ ଗୁରୁବାର ବଡ଼ ଧରଣର ବିରୋଧ ପ୍ରଦର୍ଶନ କରିଥିଲେ। କେତେକ ସ୍ଥାନରେ ପାର୍ଟି ଅଫିସରେ ଭଙ୍ଗାରୁଜା ମଧ୍ୟ ହୋଇଛି। ଉତ୍ତେଜିତ ପାର୍ଟି କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ପ୍ରଦର୍ଶନ କରିଛନ୍ତି। ଏଣୁ ପୋଲିସ ସୁରକ୍ଷା କଡ଼ା କରିଛି। ଜେଡିୟୁ କାର୍ଯ୍ୟକର୍ତ୍ତା ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା ଓ କେନ୍ଦ୍ରମନ୍ତ୍ରୀ ଲଲନ ସିଂହଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ସେମାନଙ୍କର ବିଜେପି ସହିତ ଭିତିରିଆ ସମ୍ପର୍କ ଅଛି ଓ ନୀତୀଶଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ରଚିଥିବାର କାର୍ଯ୍ୟକର୍ତ୍ତା ଅଭିଯୋଗ କରୁଛନ୍ତି।

ସେମାନେ ସିଧା ସଳଖ କହୁଛନ୍ତି ଏହା ଜନାଦେଶ ଓ ନୀତୀଶ କୁମାରଙ୍କ ସ୍ୱାଭିମାନର ଉଲ୍ଲଂଘନ। ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଲୋକେ ନୀତୀଶ କୁମାରଙ୍କୁ ଭୋଟ ଦେଇଥିଲେ। ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛିଥିଲେ। ଏଣୁ ନୀତୀଶ ବିହାର ଛାଡି ଦିଲ୍ଲୀ ଯିବା ଅବିଚାର ହେବ ବୋଲି ଅଭିଯୋଗ କରୁଛନ୍ତି।

ବଢୁଥିବା ଉତ୍ତେଜନାକୁ ନଜରରେ ରଖି ପାଟନାରେ ଜେଡିୟୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ବାହାରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ଏହା ଛଡା ଜେଡିୟୁ ଅଫିସ ବାହାରେ ବଡ଼ ବଡ଼ ପୋଷ୍ଟର ସବୁ ଲଗାଯାଇଛି, ଏଥିରେ ନୀତୀଶ କୁମାରଙ୍କୁ ତାଙ୍କ ନିଷ୍ପତ୍ତି ଉପରେ ଦ୍ୱିତୀୟବାର ବିଚାର କରିବାକୁ ନିବେଦନ କରାଯାଇଛି। ନୀତୀଶଙ୍କ ସମର୍ଥକ କହିଛନ୍ତି ଯେ ବିହାରର ଜନତା ଚୁପ ବସିବେନି ନରେନ୍ଦ୍ର ମୋଦିଙ୍କ ଏହି ଧୋକାର ପ୍ରତିଶୋଧ ନିଶ୍ଚିତ ନେବେ। ପାଟନା ଏସଏସପି କାର୍ତ୍ତିକେୟ ଶର୍ମାଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ଜେଡିୟୁ କାର୍ଯ୍ୟାଳୟ ବାହାରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Leave a comment