ଇରାନରେ ବଡ଼ କ୍ଷମତା ପରିବର୍ତ୍ତନ: ନୂଆ ସୁପ୍ରିମ୍ ଲିଡର ଭାବେ ମୁଜତାବା ଖାମେନେଇଙ୍କ ନାମ ଘୋଷଣା

ପଶ୍ଚିମ ଏସିଆରେ ଯୁଦ୍ଧର ଭୟାବହତା ମଧ୍ୟରେ ଇରାନରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ, ଦେଶର ଶାସନ ଭାର ଏବେ ତାଙ୍କ ପୁଅ ମୁଜତାବା ଖାମେନେଇଙ୍କ ହାତକୁ ଯାଇଛି। ତାଙ୍କୁ ଇରାନର ନୂଆ ସୁପ୍ରିମ୍ ଲିଡର ଭାବେ ଘୋଷଣା କରାଯାଇଛି।

ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମୁଜତାବା ଖାମେନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, “ପ୍ରିୟଜନଙ୍କ ମୃତ୍ୟୁର ପ୍ରତିଶୋଧ ନିଶ୍ଚୟ ନିଆଯିବ ଏବଂ ଶତ୍ରୁ ପକ୍ଷ ବିରୋଧରେ ଆକ୍ରମଣ ଜାରି ରହିବ।” ମୁଜତାବାଙ୍କ ଏହି ବୟାନ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଆହୁରି ଜଳିବାର ଆଶଙ୍କା କରାଯାଉଛି।ଇରାନ ସରକାରୀ ସୂତ୍ର ଅନୁସାରେ, ଦେଶର ସ୍ଥିରତା, ଧାର୍ମିକ ଏବଂ ରାଜନୈତିକ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଖାମେନେଇଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ ଦୂର କରିବା ପାଇଁ ମୁଜତାବାଙ୍କୁ ସର୍ବୋଚ୍ଚ ପଦବୀରେ ବସାଯାଇଛି। ଏବେ ଦେଶର ସେନା, ନ୍ୟାୟପାଳିକା ଏବଂ ସମଗ୍ର ପ୍ରଶାସନିକ ବ୍ୟବସ୍ଥା ଉପରେ ମୁଜତାବାଙ୍କ ସର୍ବୋଚ୍ଚ ଅଧିକାର ରହିବ। ମଧ୍ୟପ୍ରାଚ୍ୟରେ ଚାଲିଥିବା ମହାସମର ମଧ୍ୟରେ ଏହି ଘୋଷଣାକୁ ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶଗୁଡ଼ିକ ଅତି ଗୁରୁତ୍ୱର ସହ ନଜର ରଖିଛନ୍ତି। ଆମେରିକା ଏବଂ ଇସ୍ରାଏଲ୍ ବିରୋଧରେ ଇରାନର ଆଗାମୀ ରଣନୀତି କ’ଣ ହେବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ।

Leave a comment