ଆମେରିକା ଏୟାରବେସ୍ ଉପରେ ଇରାନର ଶତାଧିକ ମିସାଇଲ୍ ମାଡ଼

ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ସଂଘର୍ଷ ଏବେ ଏକ ଭୟଙ୍କର ରୂପ ଧାରଣ କରିଛି। ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ପ୍ରମୁଖ ସାମରିକ ଏୟାରବେସ୍‌ଗୁଡ଼ିକ ଉପରେ ଇରାନ ପକ୍ଷରୁ ଶତାଧିକ ମିସାଇଲ ଏବଂ ଆତ୍ମଘାତୀ ଡ୍ରୋନ୍ ମାଡ଼ କରାଯାଇଛି। ଏହି ବଡ଼ ଧରଣର ଆକ୍ରମଣ ପରେ ସାରା ବିଶ୍ୱରେ ଯୁଦ୍ଧର ଆତଙ୍କ ଖେଳିଯାଇଛି।

ସୂଚନା ଅନୁଯାୟୀ, ଆମେରିକା ନୌସେନାର ଏକ ପ୍ରମୁଖ ସର୍ଭିସ୍ ସେଣ୍ଟର ଉପରେ ଇରାନର ମିସାଇଲ୍ ମାଡ଼ ହୋଇଛି, ଯେଉଁଥିରେ କିଛି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସେହିପରି ଆବୁଧାବିରେ ଥିବା ଆମେରିକୀୟ ଏୟାରବେସ୍ ନିକଟରେ ମଧ୍ୟ ବିସ୍ଫୋରଣ ଘଟି କିଛି ସାଧାରଣ ଗୃହ କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ରାଡାର ସିଷ୍ଟମରେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ବେଳେ ସାମରିକ ଶକ୍ତି ଉପରେ କୌଣସି ବଡ଼ ପ୍ରଭାବ ପଡ଼ିନଥିବା ୱାଶିଂଟନ୍ ପକ୍ଷରୁ କୁହାଯାଇଛି।

ଏହି ମିସାଇଲ୍ ମାଡ଼ ଯୋଗୁଁ ଦୁବାଇ ଏବଂ କୁଏତ ବିମାନବନ୍ଦରରେ ସାମାନ୍ୟ କ୍ଷୟକ୍ଷତି ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏହି ବିମାନବନ୍ଦରଗୁଡ଼ିକରେ କିଛି ସମୟ ପାଇଁ ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ବିଶ୍ୱ ବଜାରରେ ଏହାର ପ୍ରଭାବ ପଡ଼ିବା ସହ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଇରାନର ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା କିଭଳି ଜବାବ ଦେଉଛି, ତାହା ଉପରେ ସାରା ବିଶ୍ୱର ନଜର ରହିଛି।

Leave a comment