ଓଡ଼ିଶା ରାଜନୀତିରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପି ଶୀର୍ଷ ନେତୃତ୍ୱ ତାଙ୍କ ନାମ ଉପରେ ମୋହର ମାରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ରାଜ୍ୟରେ ବିଜେପିର ସଙ୍ଗଠନକୁ ସୁଦୃଢ଼ କରିବା ଏବଂ ଗତ କିଛି ସମୟ ଧରି ଦଳୀୟ ରଣନୀତିରେ ମନମୋହନ ସାମଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନେତୃତ୍ୱ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତାଙ୍କୁ ଦିଲ୍ଲୀ ପଠାଇ ଜାତୀୟ ରାଜନୀତିରେ ଓଡ଼ିଶାର ପକ୍ଷ ରଖିବା ପାଇଁ ଦଳ ଏକ ବଡ଼ ଯୋଜନା କରିଛି।
ମନମୋହନ ସାମଲଙ୍କୁ ରାଜ୍ୟସଭା ପଠାଇବା ପଛରେ ଆଗାମୀ ନିର୍ବାଚନ ପାଇଁ ଦଳର ଏକ ବଡ଼ ରଣନୀତି ଥାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ତାଙ୍କ ଭଳି ଜଣେ ଅଭିଜ୍ଞ ନେତା ରାଜ୍ୟସଭାକୁ ଗଲେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ସଂସଦରେ ଜୋରଦାର ଭାବେ ଉଠିପାରିବ।
ରାଜ୍ୟ ବିଜେପି ଶିବିରରେ ଉତ୍ସାହ ଖେଳିଯାଇଥିବା ବେଳେ, ବିରୋଧୀ ମହଲରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇପାରେ ବୋଲି ଜଣାପଡ଼ିଛି।