ଟ୍ବେଣ୍ଟି୨୦ ବିଶ୍ବକପ୍‌ : ପ୍ରଥମ ଦଳ ଭାବେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ

ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ। ଗୋଟିଏ ମ୍ୟାଚ୍‌ ବାକିଥାଇ ପୂର୍ବତନ ଚମ୍ପିଆନ୍‌ ଇଂଲଣ୍ଡ ଏହି କୃତିତ୍ବ ହାସଲ କରିଛି। ମଙ୍ଗଳବାର ସୁପର ୮ଗ୍ରୁପ୍-୨ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ହ୍ୟାରୀ ବ୍ରୁକ୍‌ ଏକା ଦଳକୁ ୨ ୱିକେଟ୍‌ରେ ଜିତାଇ ପାରିଥିଲେ। ସାହେବ୍‌ଜାଦା ଫର୍‌ହାନଙ୍କ ୬୩ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୯ ୱିକେଟ୍‌ରେ ୧୬୪ ରନ୍‌ କରିଥିଲା। ୫୮ ରନ୍‌ରେ ୪ଟି ୱିକେଟ୍‌ ହରାଇବା ସତ୍ତ୍ବେ ଅଧିନାୟକ ହ୍ୟାରୀ ବ୍ରୁକ୍‌ଙ୍କ ପ୍ରଥମ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ଶତକ ବଳରେ ୫ଟି ବଲ୍‌ ବାକିଥାଇ ୮ ୱିକେଟ୍‌ ହରାଇ ଇଂଲଣ୍ଡ ଜିତିଥିଲା। ୨ଟି ମ୍ୟାଚ୍‌ରୁ ୧ ପଏଣ୍ଟ ପାଇଥିବା ପାକିସ୍ତାନକୁ ସେମିଫାଇନାଲ ଆଶା ବଜାୟ ରଖିବାକୁ ହେଲେ ଶେଷ ମ୍ୟାଚ୍‌ ଜିତିବାକୁ ପଡ଼ିବ।

ଇଂଲଣ୍ଡ ୧୬୫ ରନ୍‌ର ପିଛା କରିଥିବା ବେଳେ ସାହିନ୍ ଶାହା ଆଫ୍ରିଦି ଚମତ୍କାର ବୋଲିଂକରି ତାଙ୍କ ପ୍ରଥମ ୩ ଓଭରରେ ୩ଟି ୱିକେଟ୍‌ ନେଇ ଯାଇଥିଲେ। ଇନିଂସର ପ୍ରଥମ ବଲ୍‌ରେ ଫିଲ୍‌ ସଲ୍‌ଟ ଆଉଟ୍‌ ହୋଇଥିଲେ। ଜୋସ୍‌ ବଟ୍‌ଲର ତାଙ୍କ ଖରାପ ଫର୍ମ ଜାରିରଖି ମାତ୍ର ୨ ରନ୍‌କରି ବିଦାୟ ନେଇଥିଲେ। ପରେ ଅଧିନାୟକ ହ୍ୟାରୀ ବ୍ରୁକ୍‌ ଆସି ଦର୍ଶନୀୟ ବ୍ୟାଟିଂକରି ବାଉଣ୍ଡରୀ ମାରି ଚାଲିଥିଲେ। ସାହିନ୍‌ ଆଫ୍ରିଦି ତାଙ୍କ ୩ୟ ଓଭରରେ ଜାକବ ବିଥେଲ (୮)ଙ୍କୁ ଆଉଟ୍‌ କରି ଦେଇଥିଲେ। ୬ ଓଭରର ପାୱରପ୍ଲେରେ ଇଂଲଣ୍ଡ ୫୩ ରନ୍‌ କରିଥିବା ବେଳେ ସେଥିରୁ ବ୍ରୁକ୍‌ ୪୧ ରନ୍‌ କରିଥିଲେ। ଟମ୍‌ ବାଣ୍ଟନ୍ ମାତ୍ର ୨ ରନ୍‌ କରିଥିଲେ। ଇଂଲଣ୍ଡ ୫୮ ରନ୍‌ରେ ୪ଟି ୱିକେଟ୍‌ ହରାଇବା ପରେ ଅଧିନାୟକ ହ୍ୟାରୀ ବ୍ରୁକ୍‌ ଓ ସାମ୍ କରନ୍‌ ୪୫ ରନ୍‌ ଯୋଡ଼ିଥିଲେ। ସାମ୍ କରନ୍‌ ୧୫ ବଲ୍‌ରୁ ୧୬ ରନ୍‌ କରିଥିଲେ।

ହ୍ୟାରୀ ବ୍ରୁକ୍‌ ଆକ୍ରମଣାତ୍ମକ ବ୍ୟାଟିଂ ଜାରିରଖି ଦଳୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ୨୭ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିବା ବ୍ରୁକ୍‌ ପରବର୍ତ୍ତୀ ୨୩ ବଲ୍‌ରୁ ଶତକରେ ପହଞ୍ଚିଥିଲେ। ବ୍ରୁକ୍‌ ଓ ୱିଲ୍‌ ଜ୍ୟାକ୍‌ସ ୬ଷ୍ଠ ୱିକେଟ୍‌ ପାଇଁ ୩୦ ବଲ୍‌ରୁ ୫୨ ରନ୍‌ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ହ୍ୟାରୀ ବ୍ରୁକ୍‌ ୫୧ ବଲ୍‌ରୁ ୪ଟି ଛକା ଓ ୧୦ଟି ଚୌକା ସହ ୧୦୦ ରନ୍‌କରି ଆଉଟ୍‌ ହୋଇଥିଲେ। ଏହାସହ ୧୦ ରନ୍‌ ମଧ୍ୟରେ ଇଂଲଣ୍ଡ ୩ଟି ୱିକେଟ୍‌ ହରାଇଥିଲା। ୱିଲ୍‌ ଜ୍ୟାକ୍‌ସ ୨୩ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୮ ରନ୍‌ କରିଥିଲେ। ଶେଷ ଓଭରର ପ୍ରଥମ ବଲ୍‌ରେ ଚୌକମାରି ଜୋଫ୍ରା ଆର୍ଚର ଇଂଲଣ୍ଡକୁ ଜିତାଇଥିଲେ। ସାହିନ୍ ଶାହା ଆଫ୍ରିଦି ୪ଟି ଏବଂ ମହମ୍ମଦ ନୱାଜ୍‌ ଓ ଉସ୍‌ମାନ ତାରିକ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ହ୍ୟାରୀ ବ୍ରୁକ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍ ଜିତି ପାକିସ୍ତାନ ବ୍ୟାଟିଂ କରି ୨୦ ବଲ୍‌ରେ ୨୭ ରନ୍‌କରି ୨ଟି ୱିକେଟ୍‌ ହରାଇଥିଲା। ସୈମ୍ ଆୟୁବ ୭ ଓ ଅଧିନାୟକ ସଲ୍‌ମାନ ଆଗା ୫ ରନ୍‌କରି ବିଦାୟ ନେଇଥିଲେ। ତେବେ ଚଳିତ ବିଶ୍ବକପ୍‌ରେ ଅଦ୍ୟାବଧି ସର୍ବାଧିକ ରନ୍‌ କରିଥିବା ପାକିସ୍ତାନୀ ଓପ୍‌ନର ସାହେବଜାଦା ଫର୍‌ହାନଙ୍କ ବ୍ୟାଟ୍‌ ପୁଣି ଚାଲିଥିଲା। ଅଭିଜ୍ଞ ବାବର ଆଜମ୍‌ ୨୪ ବଲ୍‌ରୁ ମାତ୍ର ୨୫ ରନ୍‌ କରିଥିଲେ। ଫର୍‌ହାନ ଓ ଫଖର ଜମାନ୍‌ ୫ମ ୱିକେଟ୍‌ ପାଇଁ ୪୯ ରନ୍‌ ଯୋଡ଼ିଥିଲେ। ସାହେବ୍‌ଜାଦା ଫର୍‌ହାନ ୪୫ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୬୩ ରନ୍‌ କରିଥିଲେ। ଫଖର ଜମାନ୍‌ ୧୬ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୫ ରନ୍‌ କରିଥିଲେ। ସଦ୍ଦାବ ଖାଁ ୧୧ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍‌ କରିଥିଲେ। ଲିଆମ୍ ଡସନ୍ ୩ଟି ଏବଂ ଜୋଫ୍ରା ଆର୍ଚର ଓ ଜେମି ଓଭର୍‌ଟନ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Leave a comment