ପୁରୁଷ ଟି୨୦ ବିଶ୍ବକପ: ଆଜି ଠୁ ସୁପର ଏଇଟ୍ସ ପର୍ଯ୍ୟାୟ,ପାକିସ୍ତାନ-ନ୍ୟୁଜିଲାଣ୍ଡକୁ ଭେଟିବ
ପୁରୁଷ ଟି୨୦ ବିଶ୍ବକପ ଦଶମ ସଂସ୍କରଣ-୨୦୨୬ର ସୁପର ଏଇଟ୍ସ ପର୍ଯ୍ୟାୟ ଶନିବାରଠାରୁ ଖେଳାଯିବ। କଲମ୍ବୋର ଆର ପ୍ରେମାଦାସ ଷ୍ଟାଡ଼ିୟମରେ ଶନିବାର ଗ୍ରୁପ-୨ର ମ୍ୟାଚରେ ପାକିସ୍ତାନ-ନ୍ୟୁଜିଲାଣ୍ଡକୁ ଭେଟିବ। ଉକ୍ତ ମ୍ୟାଚ ରାତି ୭ଟାରେ ଖେଳାଯିବ। ସଲମାନ ଅଲ୍ଲୀ ଆଗାଙ୍କ ନେତୃତ୍ବାଧିନ ପାକିସ୍ତାନ ଲିଗ୍ ପର୍ଯ୍ୟାୟରେ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ସୁପର-୮ରେ ପହଞ୍ଚିଛି। ଦଳ ନେଦରଲାଣ୍ଡ୍ସକୁ ୩ ୱିକେଟରେ,ଆମେରିକାକୁ ୩୨ରନରେ ଓ ନାମିବ୍ୟାକୁ ୧୦୨ରନରେ ପରାଜିତ କରିଥିବାବେଳେ ଭାରତ ନିକଟରୁ ୬୧ରନରେ ପରାଜିତ ହୋଇଥିଲା। ନାମିବ୍ୟା ବିପକ୍ଷରେ ସାହେବଜାଦା ଫରହାମ ଶତକ ହାସଲ କରି ଫର୍ମର ପରିଚୟ ଦେଇଥିବାବେଳେ ସ୍ପିନର ଉସ୍ମାନ ତାରିକ ୪ଟି ୱିକେଟ ମଧ୍ୟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଟିଂରେ ସାମ ଆୟୁବ, ସଲମାନ ଅଲ୍ଲୀ ଆଗା, ସାଦବ ଖାନ, ବାବର ଆଜାମ ପ୍ରମୁଖ ବ୍ୟାଟିଂ ଭାର ସମ୍ଭାଳୁଛନ୍ତି। ବୋଲିଂରେ ଫହିମ ଆଶ୍ରଫ, ସଲମାନ ମିର୍ଜା, ମହମ୍ମଦ ନୱାଜ, ସାଦବ ଖାନ ଓ ସାହିନ ସାହା ଆଫ୍ରିଦି ପ୍ରମୁଖ ରହିଛନ୍ତି। ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହ ସୁପର-୮ ଅଭିଯାନ ଲକ୍ଷ୍ୟ ରଖିଛି।
ସେହିପରି ଗ୍ରୁପ୍ ଡି ରେ ସ୍ଥାନ ପାଇଥିବା ମିଚେଲ ସାଣ୍ଟନରଙ୍କ ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜିତ ହୋଇଛି। ଦଳ ଆଫଗାନିସ୍ତାନକୁ ୫ ୱିକେଟରେ,ୟୁଏଇକୁ ୧୦ ୱିକେଟରେ ଓ କାନାଡାକୁ ୮ ୱିକେଟରେ ପରାସ୍ତ କରିଥିବାବେଳେ ଦକ୍ଷିଣ ଆଫ୍ରିକା ନିକଟରୁ ୭ ୱିକେଟରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଭାଗରେ ଟିମ୍ ସୈଫର୍ଟ, ଫିନ୍ ଆଲେନଙ୍କ ସହ ରଚିନ ରବୀନ୍ଦ୍ର, ଗ୍ଲେନ ଫିଲିପ୍ସ, ଅଧିନାୟକ ଡାରେଲ ମିଚେଲ, ମାର୍କ ଚାମ୍ପମ୍ୟାନ ପ୍ରମୁଖ ରହିଛନ୍ତି। ବୋଲିଂ ଭାର ମିଚେଲ ସାଣ୍ଟନର, ମ୍ୟାଟ୍ ହେନରୀ, ଜ୍ୟାକବ ଡୁଫି, କାଏଲ ଜେମିସନ, ଜେମ୍ସ ନଶିମ ସମ୍ଭାଳୁଛନ୍ତି। ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ ମ୍ୟାଚରେ ପରାଜିତ ହୋଇଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ଟି୨୦ ମ୍ୟାଚକୁ ଦେଖିଲେ ନ୍ୟୁଜିଲାଣ୍ଡ ୪ଟି ଓ ପାକିସ୍ତାନ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ଚଳିତ ବିଶ୍ବକପରେ ଉଭୟେ ସମଦକ୍ଷତାପୂର୍ଣ୍ଣ ଦଳ ରହିଥିବାରୁ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇଛି।