ଇରାନ ଉପରେ ବଡ଼ ଆକ୍ରମଣ ପ୍ରସ୍ତୁତିରେ ଆମେରିକା !

ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା କମିବାରେ ନାଁ ଧରୁନାହିଁ । ଏହା ଦିନକୁ ଦିନ ବଢିଚାଲିଛି । ଏହାରି ଭିତରେ ଇରାନ-ଆମେରିକା ଯୁଦ୍ଧ ଆଶଙ୍କା ଘନେଇଛି । ଇରାନ ଉପରେ ବଡ଼ ଆକ୍ରମଣ ପ୍ରସ୍ତୁତିରେ ଆମେରିକା ! ଯେକୌଣସି ମୁହୂର୍ତ୍ତରେ ହୋଇପାରେ ବଡ଼ ଆକ୍ରମଣ । ମଧ୍ୟ-ପ୍ରାଚ୍ୟରେ ଆମେରିକାର ଭୟଙ୍କର ସାମରିକ ଶକ୍ତି ପ୍ରଦର୍ଶନ । ଚଳିତ ଶନିବାର ଆମେରିକା ଆଟାକ କରିପାରେ ବୋଲି ସୂଚନା ମିଳିଛି ।

ଟ୍ରମ୍ପ ପ୍ରଶାସନ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଅନେକ ଆମେରିକୀୟଙ୍କ ଧାରଣାଠାରୁ ମଧ୍ୟ ସ୍ଥିତି ଅଧିକ ସଙ୍ଗୀନ ରହିଛି । ଆମେରିକା ନେତୃତ୍ୱରେ ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ । ଏହା କେବଳ ଗୋଟିଏ ସାମାନ୍ୟ ଆକ୍ରମଣ ନୁହେଁ, ବରଂ ଅନେକ ସପ୍ତାହ ଧରି ଚାଲିବାକୁ ଥିବା ଏକ ବଡ଼ ଅଭିଯାନ ହୋଇପାରେ ।

ଆମେରିକା ଏବଂ ଇସ୍ରାଏଲ୍ ମିଳିତ ଭାବେ ଏହି ଅଭିଯାନ ପାଇଁ ପ୍ରସ୍ତୁତି କରୁଥିବା ଜଣାପଡିଛି । ଯଦି ପରମାଣୁ ଆଲୋଚନା ବିଫଳ ହୁଏ, ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ ଆକ୍ରମଣ ହେବାର ୯୦% ସମ୍ଭାବନା ଅଛି । ନିକଟରେ ଜେନେଭାରେ ହୋଇଥିବା ଆଲୋଚନାରେ କିଛି ପ୍ରଗତି ହୋଇଥିଲେ ମଧ୍ୟ ଇରାନର ୟୁରାନିୟମ ଏବଂ ମିସାଇଲ୍ କାର୍ଯ୍ୟକ୍ରମକୁ ନେଇ ଦୁଇ ଦେଶ ମଧ୍ୟରେ ମତଭେଦ ଜାରି ରହିଛି ।

ମଧ୍ୟ-ପ୍ରାଚ୍ୟରେ ଆମେରିକା ଦୁଇଟି ଯୁଦ୍ଧ ଜାହାଜ, ଅତ୍ୟାଧୁନିକ ଫାଇଟର ଜେଟ୍ (F-35, F-22) ଏବଂ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମୁତୟନ କରିସାରିଛି। ସେପଟେ ଚେତାବନୀ ଦେଇଛି ଇରାନ । ଯଦି ଆକ୍ରମଣ ହୁଏ, ତେବେ ସେମାନେ ପାଲଟା ଜବାବ ଦେବେ ଏବଂ ଏହା ଏକ ଆଞ୍ଚଳିକ ମହାଯୁଦ୍ଧର ରୂପ ନେବ । ଯୁଦ୍ଧ ଭୟରେ ବିଶ୍ୱ ବଜାରରେ ତେଲ ଏବଂ ସୁନା ଦର ବଢ଼ିବାରେ ଲାଗିଛି ।

Leave a comment