ସରିଲା ପ୍ରଥମ ଦିନର ପରୀକ୍ଷା ,ମାତୃଭାଷା ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୪୬ ହଜାର ୫୮୨ ପରୀକ୍ଷାର୍ଥୀ
ପରୀକ୍ଷା କେନ୍ଦ୍ର ସାମ୍ନାରେ ଶୁଭ କଳସୀ ସ୍ଥାପନ କରାଯାଇଥିଲା। ପ୍ରତି ପରୀକ୍ଷାର୍ଥୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରୁଥିଲେ ଶିକ୍ଷକ ଶିକ୍ଷୟତ୍ରୀ । ଛାତ୍ରଛାତ୍ରୀଙ୍କ ଜୀବନର ସବୁଠାରୁ ବଡ ପରୀକ୍ଷା ପାଇଁ ଥିଲା ଏତେ ସବୁ ଆୟୋଜନ । ଗୁରୁବାର ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ସକାଳ ସାଢେ ୮ ଟା ସୁଦ୍ଧା ପରୀକ୍ଷାର୍ଥୀ ମାନେ କେନ୍ଦ୍ର ମାନଙ୍କରେ ପହଞ୍ଚି ସାରିଥିଲେ । ଠିକ ୯ ଟାରେ ଆରମ୍ଭ ହେଲା ପରୀକ୍ଷା ଏବଂ ଶେଷ ହେଲା ସାଢେ ୧୧ ଟାରେ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୪୬ ହଜାର ୫୮୨ ପରୀକ୍ଷାର୍ଥୀ । ଏଥିପାଇଁ ୩ ହଜାର ୮୨ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଥିଲା ।
ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ପୁରା ପରୀକ୍ଷାର ଗତିବିଧି ଉପରେ ନଜର ରଖିଥିଲେ। ପରୀକ୍ଷା ଖୁବ ଭଲରେ ସରିଛି। କୌଣସି ସ୍ଥାନରେ କିଛିବି ସମସ୍ୟା ହୋଇନାହିଁ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। । ପ୍ରଶ୍ନ ସରଳ ଥିଲା, ଏବଂ ପରୀକ୍ଷା କେନ୍ଦ୍ର ମାନଙ୍କରେ ମଧ୍ୟ ସବୁ ପ୍ରକାରର ଆନୁସଙ୍ଗିକ ସୁବିଧା ମଧ୍ୟ ଉପଲବ୍ଧ ଥିଲା। ତେଣୁ ପରୀକ୍ଷା ଭଲ ହୋଇଛି ବୋଲି କେନ୍ଦ୍ରରୁ ବାହାରିବା ପରେ ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ପରୀକ୍ଷାର୍ଥୀ ମାନେ। ଏଥର ୩ ହଜାର ୯ ଶହ ୯୯ ଜଣ ଭିନ୍ନକ୍ଷମ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ଲାଗି ଅତିରିକ୍ତ ୫୦ ମିନିଟ ସମୟ ଦିଆଯାଇଛି। କପି ରୋକିବା ଲାଗି ୩୭ ଟି ସ୍ପେଶାଲ ସ୍କ୍ୱାର୍ଡ ଏବଂ ଡ଼ିଇଓ ମାନଙ୍କ ସ୍ତରରେ ୭୨ ଟି ସ୍କ୍ବାର୍ଡ ଗଠନ କରାଯାଇଛି। ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା। ଆସନ୍ତା ଶନିବାର ପରୀକ୍ଷାର୍ଥୀ ମାନେ ଦ୍ବିତୀୟ ଭାଷା ଇଂରାଜୀ ପାଇଁ ପରୀକ୍ଷା ଦେବେ।
ସେପଟେ ରାଜଧାନୀରେ ଅଚାନକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ପରେ ମନ୍ତ୍ରୀ କହିଛନ୍ତି ଏ ବର୍ଷ ଶୀଘ୍ର ବାହାରିବ ମାଟ୍ରିକ୍ ଓ ଯୁକ୍ତ ଦୁଇ ରେଜଲ୍ଟ। ପରୀକ୍ଷା ସୁରୁଖୁରୁରେ ଚାଲିଛି । କୌଣସି କେନ୍ଦ୍ରରୁ ଅନିୟମିତତା ଖବର ଆସିନାହି। ସିସିଟିଭି ନଜରରେ ରହିଚି ପରୀକ୍ଷା କେନ୍ଦ୍ର। ସବୁ କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ହୋଇଚି। ଯଦି କୌଣସି ପରୀକ୍ଷା କେନ୍ଦ୍ରକୁ ପରିକ୍ଷାର୍ଥୀ ପହଞ୍ଚି ନପାରି ନ ଥିବେ ତାହେଲେ ତାର ଅନୁଧ୍ୟାନ କରାଯିବ। କିଛି କେନ୍ଦ୍ରରେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ନଜରକୁ ଆସୁଛି। ସ୍ବଚ୍ଛତାର ସହ ପରୀକ୍ଷା ହେଉଚି କି ନାହି ତାର ତଦାରଖ କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ