ଆଜିଠୁ ଛାତ୍ରଛାତ୍ରୀଙ୍କ ଜୀବନର ପ୍ରଥମ ବଡ଼ ପରୀକ୍ଷା ମାଟ୍ରିକ ପରୀକ୍ଷା
ଆଜିଠୁ ଛାତ୍ରଛାତ୍ରୀଙ୍କ ଜୀବନର ପ୍ରଥମ ବଡ଼ ପରୀକ୍ଷା ମାଟ୍ରିକ ପରୀକ୍ଷା । ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ। ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ହେବ । ସମସ୍ତ ପରୀକ୍ଷା ସକାଳ ୯ ଟାରୁ ସାଢେ ୧୧ ଯାଏଁ ଗୋଟିଏ ସିଟିଂରେ ହେବ । ସକାଳ ୮ଟା ୩୦ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩୨୨ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷା ବଳୟରେ ରଖାଯାଇଛି । ସମସ୍ତ ନୋଡାଲ ସେଣ୍ଟରକୁ ଭାଇରାଲ ରେଜିଷ୍ଟାନସ କରାଯାଇଛି । ପ୍ରତି ପ୍ରଶ୍ନପତ୍ରରେ QR କୋଡ୍ ଓ ୱାଟରମାର୍କ ରହିଛି । ଯାହାକି ପ୍ରଶ୍ନପତ୍ର ଲିକ୍ କିମ୍ବା ଅନିୟମିତତା ରୋକିବାରେ ସାହାଯ୍ୟ କରିବ ।
ସମସ୍ତ ପରୀକ୍ଷା କେନ୍ଦ୍ରରେ AI-ଯୁକ୍ତ CCTV କ୍ୟାମେରା ଲଗାଯାଇଛି । ଏହା ହଲ୍ ଓ ପ୍ରବେଶ ପଥ ଉପରେ ନଜର ରଖିବ। କଟକରେ ଥିବା BSE ମୁଖ୍ୟାଳୟରୁ ଏହାର ସିଧାପ୍ରସାରଣ ଉପରେ ନଜର ରଖାଯିବ। ପ୍ରଶ୍ନପତ୍ର ପରିବହନ ପାଇଁ GPS ଟ୍ରାକିଂ ଗାଡ଼ି, ପିନ୍ ସାହାଯ୍ୟରେ ଖୋଲୁଥିବା ସେମି-ଡିଜିଟାଲ୍ ଲକ୍ ଓ ସଶସ୍ତ୍ର ଗାର୍ଡଙ୍କ ବ୍ୟବସ୍ଥା କରାଯାଇଛି। କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ ଟି ସ୍କ୍ୱାଡ ଓ ଜିଲ୍ଲା ସ୍ତରରେ ୭୨ଟି ସ୍କ୍ୱାଡ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଆସିବା ବେଳେ ଛାତ୍ରଛାତ୍ରୀଙ୍କୁ ନିଜର ଆଡମିଟ୍ କାର୍ଡ ସାଙ୍ଗରେ ଆଣିବାକୁ ଓ ବୋର୍ଡର ନିୟମ ମାନିବାକୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।