ଆଜି ହେବ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ
ଘରେ ଘରେ ପରିଚିତ ‘ଫୁର୍ରୁକିନା ଉଡ଼ିଗଲା ବଣି’ ଗୀତର ଗୀତା ଆଉ ନାହାନ୍ତି। ତାଙ୍କ ଜୀବନପକ୍ଷୀ ଉଡ଼ିଯାଇଛି ଆରପାରିକୁ। ସ୍କୁଲପାଠ ସମୟରୁ ସିନେମାରେ ନାୟିକାଙ୍କ ପାଇଁ ସିଏ ଗୀତ ଗାଇଥିଲେ, ଜୀବନକାଳ ମଧ୍ୟରେ ପାଞ୍ଚ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆକାଶବାଣୀର ‘ଟପ୍ଗ୍ରେଡ୍’ କଣ୍ଠଶିଳ୍ପୀ, ଓଡ଼ିଶାର ପ୍ରଥମ ଏଲ୍ପି ରେକର୍ଡର ଗାୟିକା ଏବଂ ଅତି ପରିଚିତ ‘ପେଟେଣ୍ଟ୍ ମେଡ଼ିସିନ୍’ ରେକର୍ଡର ସେ ସୁଲୋଚନା। ଏହି କିମ୍ବଦନ୍ତୀ ଗାୟିକା ଗୀତା ପଟ୍ଟନାୟକ ଚିରନିଦ୍ରା ଯାଇଛନ୍ତି। କଟକ ମର୍କତନଗରର ଏକ ଘରୋଇ ହସ୍ପିଟାଲରେ ରବିବାର ତାଙ୍କର ୭୨ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ଭୁବନେଶ୍ୱରର ଏକ ସାହିତ୍ୟ ଆସରରେ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ହଠାତ୍ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାକୁ ଆସିଥିଲେ ଏବଂ ଭେଣ୍ଟିଲେଟରରେ ରଖି ତାଙ୍କ ଚିକିତ୍ସା ଚାଲିଥିଲା। ମସ୍ତିଷ୍କରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ସଂକଟାପନ୍ନ ସ୍ଥିତିରେ ଥିଲେ। ଅନ୍ତିମ ସମୟରେ ସ୍ୱାମୀ ଇଂ. କୃଷ୍ଣଗୋପାଳ ବାତ୍ରା, ସାନଭାଇ ପ୍ରାକ୍ତନ ପୁଲିସ ଅଧିକାରୀ ସାରଦାପ୍ରସନ୍ନ ପାତ୍ର, ପୁତୁରା ପରାଗ ପଟ୍ଟନାୟକଙ୍କ ସମେତ ଅନ୍ୟ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ବଡ଼ଭଉଣୀ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ପତ୍ନୀ ଇନ୍ଦିରାଙ୍କ ୫ମାସ ତଳେ ଦେହାନ୍ତ ପରେ ଗୀତା ମାନସିକସ୍ତରରେ ଦୁର୍ବଳ ହୋଇଯାଇଥିଲେ। ତାଙ୍କ ପାର୍ଥିବ ଶରୀର ଉକ୍ତ ଘରୋଇ ହାସପାତାଳରୁ ଆଜି କାଫଲା ବଜାରସ୍ଥିତ ବାସଭବନକୁ ଯିବ ଏବଂ ସତୀଚଉରାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
ଗୀତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ବିୟୋଗ ଓଡ଼ିଶାର ସଙ୍ଗୀତ ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗୀତାଙ୍କ ଆତ୍ମାର ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରାର୍ଥନା କରିଛନ୍ତି।