ଟ୍ବେଣ୍ଟି୨୦ ବିଶ୍ବକପ୍: ନାମିବ୍ୟା ବିପକ୍ଷରେ ଭାରତୀୟ ଟିମ ଆଜି ଦ୍ବିତୀୟ ମ୍ୟାଚ ଖେଳିବ
ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଗୁରୁବାର ଗତଥରର ଚମ୍ପିଆନ୍ ଭାରତ ଦ୍ବିତୀୟ ମ୍ୟାଚ୍ ଖେଳିବାକୁ ଯାଉଛି। ଚଳିତ ବିଶ୍ବକପ୍ରେ ଆଫ୍ରିକୀୟ ଦେଶ ନାମିବ୍ୟା ଅନ୍ୟତମ ଦୁର୍ବଳ ଦଳ। ତେବେ ଟ୍ବେଣ୍ଟି୨୦ କ୍ରିକେଟ୍ରେ କୌଣସି ଦଳକୁ ଦୁର୍ବଳ ମଣିବା ଘାତକ ହୋଇପାରେ; ତା’ର ଉଦାହରଣ ଭାରତ ପ୍ରଥମ ମ୍ୟାଚ୍ରେ ପାଇସାରିଛି।
ଆମେରିକା ବିପକ୍ଷରେ ଭାରତ ୪୬ ରନ୍ରେ ୪ଟି ଏବଂ ୭୭ ରନ୍ରେ ୬ଟି ୱିକେଟ୍ ହରାଇଥିଲା। ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅପରାଜିତ ରହି ବିସ୍ଫୋରକ ୮୪ ରନ୍ କରିବାରୁ ଭାରତ ୯ ୱିକେଟ୍ରେ ୧୬୧ ରନ୍ କରିଥିଲା; ଯାହା ମ୍ୟାଚ୍ ବିଜୟୀ ସ୍କୋର୍ ଥିଲା। ତେବେ ଏହା ସତ ଯେ ନାମିବ୍ୟାର ବୋଲିଂ ଆମେରିକା ପରି ଶକ୍ତିଶାଳୀ ନୁହେଁ। ତେଣୁ ରବିବାର ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ରନ୍କରି ଆତ୍ମବିଶ୍ବାସ ପାଇବାର ପ୍ରୟାସ କରିବେ। ତେଣୁ ଟସ୍ ଜିତି ଭାରତ ବ୍ୟାଟିଂ କରିବା ନିଷ୍ପତ୍ତି ନେଇପାରେ। ନିୟମିତ ବିସ୍ଫୋରକ ବ୍ୟାଟିଂ କରୁଥିବା ଭାରତୀୟ ଦଳ ଏହି ମ୍ୟାଚ୍ରେ ରେକର୍ଡ ସ୍କୋର୍କରିବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଦିଲ୍ଲୀର ବ୍ୟାଟିଂ ଉପଯୋଗୀ ପିଚ୍ ଓ ଛୋଟ ବାଉଣ୍ଡରୀରେ ଏହା ନିଶ୍ଚୟ ସମ୍ଭବ।
ଏହି ମ୍ୟାଚ୍ରେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରହିବ। ୨୦୨୫ରେ ଗୋଟିଏ ମଧ୍ୟ ଅର୍ଦ୍ଧଶତକ ହାସଲ କରିନଥିବା ସୂର୍ଯ୍ୟକୁମାର ୨୦୨୬ରେ ଫର୍ମ ଫେରି ପାଇଛନ୍ତି। ନୂଆବର୍ଷ ଆରମ୍ଭରୁ ସୂର୍ଯ୍ୟ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ପୁଣି ଟ୍ବେଣ୍ଟି୨୦ରେ ବିରାଟ କୋହଲିଙ୍କୁ ଅତିକ୍ରମ କରି ଭାରତ ପାଇଁ ସର୍ବାଧିକ ଥର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ସୂର୍ଯ୍ୟକୁମାର। ଭାରତୀୟ ଦଳରେ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ରହିଛି। ୱାଶିଂଟନ ସୁନ୍ଦର ଦଳରେ ଯୋଗ ଦେଇଥିଲେ ହେଁ ମ୍ୟାଚ୍ ଖେଳିବାକୁ ଫିଟ୍ ହୋଇନାହାନ୍ତି।
ଯଶପ୍ରୀତ ବୁମ୍ରା ସମ୍ପୂର୍ଣ୍ଣ ଫିଟ୍ ହୋଇ ନେଟ୍ସରେ ପୂରା ଦମ୍ରେ ବୋଲିଂ କରୁଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ବୁମ୍ରାଙ୍କୁ ଖେଳାଯିବ ନା; ବିଶ୍ରାମ ମିଳିବ ତାହା ଦେଖିବାର କଥା। ବୁମ୍ରା ଓ ମହମ୍ମଦ ସିରାଜ୍ଙ୍କ ମଧ୍ୟରୁ ଜଣେ ଖେଳିବେ। ଓପ୍ନର ଅଭିଷେକ ଶର୍ମା ଅସୁସ୍ଥହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ବୁଧବାର ବାହାରିଛନ୍ତି। ଅଭିଷେକ ଦୁର୍ବଳ ଅନୁଭବ କରୁଛନ୍ତି। ତାଙ୍କୁ ଯଦି ନାମିବ୍ୟା ମ୍ୟାଚ୍ରୁ ବିଶ୍ରାମ ମିଳିବ; ତେବେ ସଞ୍ଜୁ ସାମ୍ସନ ଖେଳିବେ। ତେଣୁ ମୋଟଉପରେ ନାମିବ୍ୟା ବିପକ୍ଷରେ ଭାରତ କିଛି ବଡ଼ ଖେଳାଳିଙ୍କୁ ବିଶ୍ରାମ ଦେଇ ଅନ୍ୟମାନଙ୍କୁ ସୁଯୋଗ ଦେଇପାରେ। ବାମହାତି ସ୍ପିନର ବର୍ଣ୍ଣାର୍ଡ ସ୍କୋଲ୍ଜ ନେଦରଲାଣ୍ଡ୍ସ ବିପକ୍ଷରେ ଭଲ ବୋଲିଂ କରିଥିଲେ। ତେବେ ଅଧିକ ଦକ୍ଷ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ସେ ସେପରି ସଫଳତା ପାଇ ନ ପାରନ୍ତି। ଅଧିନାୟକ ଜେର୍ହାର୍ଡ ଏରାସ୍ମସ ଓ ଜେ.ଜେ. ସ୍ମିଟ୍ ନାମିବ୍ୟାର ଦୁଇ ମୁଖ୍ୟ ବ୍ୟାଟ୍ସମ୍ୟାନ। ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଭାରତ କ୍ରମାଗତ ୯ଟି ମ୍ୟାଚ୍ ଜିତି ୧୦ମ ଜିତିବାକୁ ଯାଉଛି।