ଧାନ ମଣ୍ଡି,ମକାର ଅଭାବୀ ବିକ୍ରି ଭଳି ସମସ୍ୟାର ସମାଧାନ ପାଇଁ ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ କରିଛି ଉମରକୋଟ ସଂଗ୍ରାମ ମଞ୍ଚ
ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ ହେଉଛି । ସଂଗ୍ରାମୀ ମଞ୍ଚ ପକ୍ଷରୁ ବନ୍ଦ ଡାକରା ହେଉଥିବା ବେଳେ ସମର୍ଥନ ଦେଇଛି କଂଗ୍ରେସ। ଭୂ-ବନ୍ଦୋବସ୍ତ, ମେଡିକାଲ କଲେଜ, ଧାନ ମଣ୍ଡି ସମସ୍ୟା, ମକାର ଅଭାବୀ ବିକ୍ରି ଭଳି ସମସ୍ୟାର ସମାଧାନ ପାଇଁ ଗର୍ଜିଛି ଉମରକୋଟ ସଂଗ୍ରାମ ମଞ୍ଚ। ସରକାରୀ ଅବହେଳା ଓ ଦୀର୍ଘ ଦିନର ଦାବି ପୂରଣ ନହେବାରୁ ଏବେ ଆନ୍ଦୋଳନ ପଥକୁ ଓହ୍ଲାଇଛି ମଞ୍ଚ ।ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକକୁ ସମ୍ପୂର୍ଣ୍ଣ ଅଖ ଚକ ବନ୍ଦ ଡାକରା ଦିଆଯାଇଛି। ୧୯୫୬ ମସିହା ପରଠାରୁ ଉମରକୋଟ ଅଞ୍ଚଳରେ ହୋଇନାହିଁ ଭୁ ବନ୍ଦୋବସ୍ତ। ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଲୋକେ ନିଜ ଜମିର ପଟ୍ଟା ପାଇବାରୁ ବଞ୍ଚିତ । ଉମରକୋଟକୁ ସବ୍-ଡିଭିଜନ ମାନ୍ୟତା ଦିଆ ହୋଇଛି କିନ୍ତୁ ସରକାରୀ ଅଧିକାରୀ ନିଯୁକ୍ତି ହୋଇନାହାନ୍ତି। ପ୍ରସ୍ତାବିତ ମେଡିକାଲ କଲେଜକୁ ଉମରକୋଟ ରେ ସ୍ଥାପନ ପାଇଁ ଦାବି ଜୋର ଧରିଛି। ସେହିପରି ମକା ଚାଷୀଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ, ଅଞ୍ଚଳରେ ଏକ ମକା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ପାଇଁ ସଂଗ୍ରାମ ମଞ୍ଚ ଦାବି କରିଛି ।