ଟି୨୦ ବିଶ୍ବକପ : ଆଜି ୩ଟି ମ୍ୟାଚ,ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ,ଇଂଲଣ୍ଡ ଓ ନେପାଳ, ଶ୍ରୀଲଙ୍କା ଓ ଆୟରଲାଣ୍ଡ ମଧ୍ୟରେ ମୁକାବିଲା ହେବ

ଚଳିତ ପୁରୁଷ ଟି୨୦ ବିଶ୍ବକପ ଦଶମ ସଂସ୍କରଣରେ ଆଜି ୩ଟି ମ୍ୟାଚ ଖେଳାଯିବ। ଚେନ୍ନଇରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ, ମୁମ୍ବଇରେ ଇଂଲଣ୍ଡ ଓ ନେପାଳ ଏବଂ କଲମ୍ବୋରେ ଶ୍ରୀଲଙ୍କା ଓ ଆୟରଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍‌ ‘ଡି’ର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଏହି ବିଶ୍ବକପ୍‌ର ଡାର୍କ ହର୍ସ ଆଫଗାନିସ୍ତାନ। ଉଭୟ ଦଳ ଟି୨୦ ବିଶ୍ବକପ୍‌ ଜିତିନାହାନ୍ତି। ରସିଦ ଖାଁଙ୍କ ନେତୃତ୍ବାଧିନ ଆଫଗାନିସ୍ତାନ ଦଳରେ ଇବ୍ରାହିମ ଜାଦ୍ରାନ, ଡାରୱିସ ରସୁଲି, ଗୁଲବାଦିନ୍‌ ନାଇବ, ରହମନୁଲ୍ଲା ଗୁର୍‌ବାଜ, ମହମ୍ମଦ ଇଶାକ ପ୍ରମୁଖ ରହିଛନ୍ତି। ବୋଲିଂ ବିଭାଗରେ ରସିଦ ଖାଁଙ୍କ ସମେତ ମୁଜିବ ଉର୍‌ ରେହମାନ, ନୂର ଅହମ୍ମଦ ପ୍ରମୁଖ ରହିଛନ୍ତି। ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ସହ ବିଜୟ ଅଭିଯାନର ଲକ୍ଷ୍ୟ ରଖିଛି ଆଫଗାନିସ୍ତାନ। ମିଚେଲ ସାଣ୍ଟନର ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ପ୍ରଥମଥର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ପଡ଼ିଅାକୁ ଓହ୍ଲାଇବ। ନ୍ୟୁଜିଲାଣ୍ଡ ଦଳରେ ଡେଭନ କନ୍‌ୱେ, ମାଇକେଲ ବ୍ରେସ୍‌ୱେଲ, ମାର୍କ ଚାପ୍‌ମ୍ୟାନ, ଡାରିଲ ମିଚେଲ, ରଚିନ ରବୀନ୍ଦ୍ରଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ବୋଲିଂ ବିଭାଗରେ ଦୁଇ ସ୍ପିନର ମିଚେଲ ସାଣ୍ଟନର ଓ ଇସ୍‌ ସୋଢ଼ିଙ୍କ ସହ ପେସ୍‌ ବୋଲର ଲୋକି ଫର୍ଗୁସନ, ମ୍ୟାଟ ହେନରୀ ଓ କାଏଲ ଜେମିସନ ପ୍ରମୁଖ ରହିଛନ୍ତି। ଆଫଗାନିସ୍ତାନକୁ ହରାଇବା ଲକ୍ଷ୍ୟ ରଖିଛି।

ମୁମ୍ବଇରେ ଗ୍ରୁପ୍‌ ‘ସି’ର ମ୍ୟାଚରେ ଦୁର୍ବଳ ନେପାଳକୁ ଭେଟିବ ଇଂଲଣ୍ଡ। ଦୁଇଥର ଚମ୍ପିଆନ ଇଂଲଣ୍ଡ ହ୍ୟାରୀ ବ୍ରୁକ୍‌ଙ୍କ ନେତୃତ୍ବରେ ଖେଳିବ। ଦଳରେ ଜାକବ ବିଥେଲ, ଜୋସ୍‌ ବଟ୍‌ଲର, ବେନ୍‌ ଡକେଟ, ୱିଲ ଜ୍ୟାକ୍‌ସ, ଫିଲ୍‌ ସଲ୍‌ଟଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ଜେଫ୍ରା ଆର୍ଚର, ଲ୍ୟୁକ୍‌ ଉଡ୍‌, ଜୋସ୍‌ ଟଙ୍ଗ୍‌, ଆଦିଲ ରସିଦ୍‌ ବୋଲିଂ ଦାୟିତ୍ବ ତୁଲାଇବେ। ଅନଭିଜ୍ଞ ନେପାଳ ବିପକ୍ଷରେ ବଡ଼ ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ଖେଳିବ। ନେପାଳ ରୋହିତ ପୌଡେଲଙ୍କ ନେତୃତ୍ବରେ ଖେଳିବ। ଇଂଲଣ୍ଡ ବିପକ୍ଷରେ ପ୍ରଭାବଶାଳୀ ପ୍ରଦର୍ଶନର ଲକ୍ଷ୍ୟ ନେପାଳ ରଖିଛି। ଗ୍ରୁପ୍‌ ‘ବି’ରେ ଶ୍ରୀଲଙ୍କା ଓ ଆୟରଲାଣ୍ଡ ମ୍ୟାଚ୍‌ କଲମ୍ବୋରେ ଖେଳାଯିବ। ୨୦୧୪ର ଚମ୍ପିଆନ ଶ୍ରୀଲଙ୍କା ଦାସୁନ ଶନକଙ୍କ ନେତୃତ୍ବରେ ଖେଳିବ। ଘରୋଇ ପରିବେଶରେ ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ଦଳର ବ୍ୟାଟିଂ ଚରିତ ଆସାଲାଙ୍କା, କୁଶଳ ମେଣ୍ଡିସ, ପାଥମ୍‌ ନିଶଙ୍କ ଓ ପବନ ରତ୍ନନାୟକଙ୍କ ଉପରେ ନିର୍ଭର କରୁଛି। ଶ୍ରୀଲଙ୍କା ଦଳରେ ବୋଲର ଭାବେ ଦୁନିତ ୱାଲାଲାଗେ, ମାଥିଶା ପାଥିରାଣା, ପ୍ରମୋଦ ମଦୁସାନ ଓ ଦୁଷ୍ମନ୍ତ ଚାମିରା ରହିଛନ୍ତି। ପଲ୍‌ ଷ୍ଟର୍ଲିଂ ନେତୃତ୍ବାଧୀନ ଆୟରଲାଣ୍ଡ ବିପକ୍ଷରେ ଘରୋଇ ଶ୍ରୀଲଙ୍କା ଜିତିବାକୁ ଫେଭରିଟ୍‌। ଆୟରଲାଣ୍ଡ ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ଖେଳିବ।

Leave a comment