୧୫ଜଣ ମାଓବାଦୀ ଆଜି ଅସ୍ତ୍ର ଛାଡ଼ି ଭଲ ମାର୍ଗ ବାଛିଛନ୍ତି

ଏକଦା ଘଞ୍ଚ ଜଙ୍ଗଲ ଭିତରେ ରହି ନିକଟସ୍ଥ ଗାଁଗୁଡ଼ିକରେ ବ୍ୟାପକ ଧନଜୀବନ ନେଇଥିବା ୧୫ଜଣ ମାଓବାଦୀ ଆଜି ଅସ୍ତ୍ର ଛାଡ଼ି ଭଲ ମାର୍ଗ ବାଛିଛନ୍ତି। ମାଓ ଦଂପତି ନିଖିଲ ଏବଂ ଇନ୍ଦୁଙ୍କ ସମେତ ମୋଟ ୧୫ଜଣ କ୍ୟାଡର ଆଜି ରାୟଗଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ନେଇ ରାୟଗଡ଼ା ପୁଲିସ ସୂଚନା ଦେଇଛି। ପୁଲି ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ନିରଂଜନ ରାଉତ ଓରଫ ନିଖିଲ, ଅଙ୍କିତା ରାଉତ ଓରଫ ଇନ୍ଦୁ, ବିକାଶ, ସୁନ୍ଦର, ପ୍ରଦୀପ, ରୋସନି, ଅରୁଣା, ନିକିତା, କୁମାରୀ, ଦୀପକ, ରାକେଶ ଲଳିତ, ରାଜେ ଓ ମାଳତି।

ଆଜି କନ୍ଧମାଳ ଏସ୍‌ପିଙ୍କ ନିକଟରେ ୪ ଜଣ ମାଓବାଦୀ ନିଜନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ୪ ଜଣ ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମହିଳା ଥିବାବେଳେ ଅନ୍ୟ ଜଣେ ପୁରୁଷ ମାଓବାଦୀ ଏବଂ ଏମାନେ ସମସ୍ତେ କେକେବିଏନ୍‌ ମାଓ ଡିଭିଜନରେ ସକ୍ରିୟ କ୍ୟାଡର ଭାବେ କାର୍ଯ୍ୟ କରୁଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ- ଗଙ୍ଗା କୁଞ୍ଜାମି ଓରଫ ଜିତେନ (୨୪), ମୁଚାକି ମାସେ ଓରଫ ସୁମିତ୍ରା (୨୩), ଚୋମାଲି କୁଞ୍ଜମ ଓରଫ ଶାନ୍ତିଲା (୨୧) ଏବଂ ବାନ୍ଦୀ ମାଡ୍‌ୱୀ ଓରଫ ମାଳତୀ (୨୨)।

ଗଙ୍ଗା କୁଞ୍ଜାମିର ଘର ଛତିଶଗଡ଼ ସୁକୁମା ଜିଲ୍ଲା  ଅନ୍ତର୍ଗତ ପଣ୍ଡୁପଡ଼ା ଗାଁରେ ହୋଇଥିବାବେଳେ ମୁଚାକି ମାସେର ଘର ଛତିଶଗଡ଼ ସୁକୁମା ଜିଲ୍ଲା ଅନ୍ତର୍ଗତ ବଟୁମ୍‌ ଗାଁରେ, ଚୋମାଲି କୁଞ୍ଜମ୍‌ର ଘର ଛତିଶଗଡ଼ ବିଜାପୁର ଜିଲ୍ଲା ଅନ୍ତର୍ଗତ ମେଟାପାଲ୍‌ ଗାଁରେ ଏବଂ ବାନ୍ଦୀ ମାଡ୍‌ୱୀର ଘର ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ପୋଟାଲି ଗ୍ରାମରେ। ଏମାନେ ସମସ୍ତେ ସକ୍ରିୟ ମାଓ କ୍ୟାଡର ଭାବେ କାର୍ଯ୍ୟ କରୁଥିଲେ ଏବଂ ଏମାନଙ୍କ ନାମରେ ଉଭୟ ଛତିଶଗଡ଼ ଓ ଓଡ଼ିଶାର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି ବୋଲି ଆଜି କନ୍ଧମାଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ସୂଚନା ଦେଇଛନ୍ତି। ଅନ୍ୟପଟେ ବୌଦ୍ଧ ଜିଲ୍ଲା ସମ୍ପୂର୍ଣ୍ଣ ମାଓମୁକ୍ତ  ହୋଇଯାଇଥିବାବେଳେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା କନ୍ଧମାଳ ଜିଲ୍ଲା ମାଓମୁକ୍ତ ହୋଇଯିବ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି କହିଛନ୍ତି। ଏହି ୪ ଜଣ ମାଓବାଦୀମାନେ ନିଜନିଜର ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ପୁଲିସ ହାତରେ ଅର୍ପଣ କରି ନିଜେ ଆତ୍ମସମର୍ପଣ କରିଥିଲେ। ପୁଲିସ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

Leave a comment