ଡବ୍ଲ୍ୟୁପିଏଲ୍ : ଟ୍ରଫି ଜିତିଲା ଆର୍ସିବି
ଦ୍ବିତୀୟ ଥର ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ଚମ୍ପିଆନ୍ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ଗୁରୁବାର ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍େର ଆର୍ସିବି ପରାସ୍ତ କରିଛି। ଅଧିନାୟିକା େଜମିମା ରଡ୍ରିଗ୍ଜଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ କ୍ୟାପିଟାଲ୍ସ ୪ ୱିକେଟ୍ରେ ୨୦୩ ରନ୍ର ପ୍ରଭାବଶାଳୀ ସ୍କୋର୍ କରିଥିଲା। ପରେ ଅଧିନାୟିକା ସ୍ମୃତି ମାନ୍ଧାନା ଓ ଜର୍ଜିଆ ଭୋଲ୍ଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ସହ ୧୬୫ ରନ୍ର ଭାଗୀଦାରି ବଳରେ ୨ଟି ବଲ୍ ବାକିଥାଇ ୪ ୱିକେଟ୍ ହରାଇ ଆର୍ସିବି ଜିତି ନେଇଥିଲା।
୨୦୨୪ରେ ଚମ୍ପିଆନ୍ ହୋଇଥିବା ଆର୍ସିବି ଦ୍ବିତୀୟ ଥର ଏହି ସମ୍ମାନଜନକ ଟ୍ରଫି ଜିତିପାରିଛି। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପରାଜୟର ଧାରା ଜାରିରଖିଛି। ଅଦ୍ୟାବଧି ଡବ୍ଲ୍ୟୁପିଏଲ୍ର ୪ଟି ସଂସ୍କରଣ ଖେଳା ଯାଇଥିବା ବେଳେ ପତ୍ୟେକ ଥର ଦିଲ୍ଲୀ ଫାଇନାଲ ଖେଳି ରନର୍ସଅପ୍ ହୋଇଛି। ଚମ୍ପିଆନ୍ ଆର୍ସିବି ୫ କୋଟି ଓ ରନର୍ସଅପ୍ ଦିଲ୍ଲୀ ୩ କୋଟି ଟଙ୍କା ପୁରସ୍କାର ପାଇଛନ୍ତି।
ଆର୍ସିବି ଦୃଢ଼ତାର ସହ ୨୦୪ ରନ୍ ବଡ଼ ବିଜୟଲକ୍ଷ୍ୟର ପିଛା କରିଥିଲା। ଅଷ୍ଟ୍ରେଲିଆର ଗେସ୍ ହାରିସ୍ ୨ଟି ଚୌକା ସହ ୯ ରନ୍କରି ବିଦାୟ ନେଇଥିଲେ। ପରେ ଅଧିନାୟିକା ସ୍ମୃତି ମାନ୍ଧାନା ଓ ଅଷ୍ଟ୍ରେଲିଆର ଜର୍ଜିଆ ଭୋଲ୍ ନିୟମିତ ବାଉଣ୍ଡରୀ ମାରି ସହଜରେ ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ୬ ଓଭରର ପାୱରପ୍ଲେରେ ଆର୍ସିବି ୫୯ ରନ୍ କରିଥିଲା। ୧୦ ଓଭରରେ ଆର୍ସିବି ୧୦୦ ରନ୍ରେ ପହଞ୍ଚି ଯାଇଥିଲା। ବାମହାତି ସ୍ମୃତି ମାନ୍ଧାନା ମାତ୍ର ୨୩ ବଲ୍ରେ ଓ ଜର୍ଜିଆ ଭୋଲ୍ ୩୭ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସ୍ମୃତି ମାନ୍ଧାନା ଓ ଜର୍ଜିଆ ଭୋଲ୍ ଦ୍ବିତୀୟ ୱିକେଟ ପାଇଁ ମାରାଥନ୍ ଭାଗୀଦାରି କରି ମାତ୍ର ୯୨ ବଲ୍ରୁ ୧୬୫ ରନ୍ ଯୋଗ କରିଥିଲେ; ଯାହା ଚଳିତ ସଂସ୍କରଣରେ ସର୍ବାଧିକ ଭାଗୀଦାରି। ଜର୍ଜିଆ ଭୋଲ୍ ୫୪ ବଲ୍ରୁ ୧୪ଟି ଚୌକା ସହ ୭୯ ରନ୍କରି ଆଉଟ୍ ହୋଇଥିଲେ। ପରେ ରିଚା ଘୋଷ ଆସି ୬ ବଲ୍ରୁ ୬ ରନ୍କରି ଆଉଟ୍ ହୋଇଥିଲେ। ୯ ବଲ୍ରୁ ୧୩ ରନ୍ ଆବଶ୍ୟକ ଥିବା ବେଳେ ଆର୍ସିବି ସ୍ମୃତି ମାନ୍ଧାନାଙ୍କ ବଡ଼ ୱିକେଟ୍ ହରାଇଥିଲା। ମାନ୍ଧାନା ଦର୍ଶନୀୟ ଇନିଂସ ଖେଳି ୪୧ ବଲ୍ରୁ ୩ଟି ଛକା ଓ ୧୨ଟି ଚୌକା ସହ ୮୭ ରନ୍ କରିଥିଲେ। ଶେଷ ୪ଟି ବଲ୍ରୁ ଜିତିବା ପାଇଁ ୮ ରନ୍ ଆବଶ୍ୟକ ଥିବା ବେଳେ ରାଧା ଯାଦବ କ୍ରମାଗତ ୨ଟି ଚୌକାମାରି ଆର୍ସିବିକୁ ଦ୍ବିତୀୟ ଥର ଚମ୍ପିଆନ୍ କରାଇଥିଲେ। ସିନେଲ ହେନ୍ରୀ ୨ଟି ୱିକେଟ୍ ନେଇଥିଲେ।
ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫିଲ୍ଡିଂ ନେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଓଭର ପିଛା ୧୦ ରନ୍ ହାରରେ ସ୍କୋର୍ କରିଥିଲା। ଗତ ମ୍ୟାଚ୍ରେ ଦିଲ୍ଲୀର ଦୁଇ ସଫଳ ଓପ୍ନର ଲିଜେଲ୍ ଲି ଓ ଶେଫାଳୀ ବର୍ମା ୪୯ ରନ୍ର ଭାଗୀଦାରି କରିଥିଲେ। ଶେଫାଳୀ ୧୩ ବଲ୍ରୁ ୩ଟି ଚୌକା ସହ ୨୦ ରନ୍କରି ବିଦାୟ ନେଇଥିଲେ। ଦକ୍ଷିଣ ଆଫ୍ରିକାର ଲିଜେଲ୍ ଲି ୩୦ ବଲ୍ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୩୭ ରନ୍କରି ଆଉଟ୍ ହୋଇଥିଲେ। ଦିଲ୍ଲୀର ମଧ୍ୟକ୍ରମକୁ ସମ୍ଭାଳି ଦ୍ରୁତଗତିରେ ସ୍କୋର୍ କରିଥିଲେ ଅଧିନାୟିକା େଜମିମା ରଡ୍ରିଗ୍ଜ। ଦକ୍ଷିଣ ଆଫ୍ରିକାର ଲୌରା ୱଲ୍ଭାର୍ଟଙ୍କ ସହ ଜେମିମା ତୃତୀୟ ୱିକେଟ୍ ପାଇଁ ମାତ୍ର ୫୦ ବଲ୍ରୁ ୭୬ ରନ୍ ଯୋଡ଼ିଥିଲେ। େଜମିମା ରଡ୍ରିଗ୍ଜ ଚମତ୍କାର ବ୍ୟାଟିଂକରି ଚଳିତ ସଂସ୍କରଣରେ ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। େଜମିମା ୩୭ ବଲ୍ରୁ ୭ଟି ଚୌକା ସହ ସର୍ବାଧିକ ୫୭ ରନ୍ କରିଥିଲେ।
ୱେଷ୍ଟଇଣ୍ଡିଜ୍ର ସିନେଲ୍ ହେନ୍ରୀଙ୍କ ସହ ଲୌରା ୱଲ୍ଭାର୍ଟ ୨୩ ବଲ୍ରୁ ୫୫ ରନ୍ ଯୋଡ଼ିଥିଲେ। ଇନିଂସର ଅନ୍ତିମ ବଲ୍ରେ ଆଉଟ୍ ହୋଇଥିବା ଲୌରା ୱଲ୍ଭାର୍ଟ ୨୫ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୪୪ ରନ୍ କରିଥିଲେ। ସିନେଲ ହେନ୍ରୀ ମାତ୍ର ୧୫ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୩୫ ରନ୍ କରିଥିଲେ। ଲୌରେନ ବେଲ୍ ୪ ଓଭରରୁ ମାତ୍ର ୧୯ ରନ୍ ଦେଇଥିବା ବେଳେ ଅନ୍ୟମାନେ ଅତ୍ୟଧିକ ରନ୍ ବ୍ୟୟ କରିଥିଲେ। ସ୍ମୃତି ମାନ୍ଧାନା ସର୍ବାଧିକ ୩୭୭ ରନ୍କରି ନାରଙ୍ଗୀ ଟୋପି ଓ ଗୁଜରାଟ ଜାଏଣ୍ଟ୍ସର ସୋଫି ଡିଭାଇନ୍ ସର୍ବାଧିକ ୧୭ଟି ୱିକେଟ୍ ନେଇ ବାଇଗଣୀ ଟୋପି ଜିତିବା ସହ ୫ ଲକ୍ଷ ଟଙ୍କା ଲେଖାଏଁ ପାଇଥିଲେ।