ରାଜ୍ୟର ସମସ୍ତ ଅଞ୍ଚଳରେ ପାରଦ ଉପର ମୁହଁା ହୋଇଛି,ବୁଠି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ
ରାଜ୍ୟର ସମସ୍ତ ଅଞ୍ଚଳରେ ପାରଦ ଉପର ମୁହଁା ହୋଇଛି। ସବୁଠି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ତଥାପି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣ ଶୀତ ପ୍ରକୋପ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ରାତି ତାପମାତ୍ରା ବଢ଼ିବା କାରଣରୁ ଶୀତ ସାମାନ୍ୟ କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ।
ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳସ୍ବରୂପ କିଛି ଅଞ୍ଚଳରେ ଶୀତ ପ୍ରକୋପ ବଢ଼ିବା ସମ୍ଭାବନା ରହିଛି। ରବିବାର ସକାଳେ ପାରାଦ୍ବୀପ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଭବାନୀପାଟଣା, ଅନୁଗୋଳ, ଫୁଲବାଣୀ, ଛତ୍ରପୁର, ଚାନ୍ଦବାଲି, ଭୁବନେଶ୍ବର, ଗୋପାଳପୁର, ବାରିପଦା ଏବଂ କେନ୍ଦୁଝରରେ କୁହୁଡ଼ି ଦୃଶ୍ୟମାନ ହୋଇଛି।
ସୋମବାର ସକାଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, କଳାହାଣ୍ଡି ଏବଂ କନ୍ଧମାଳ ଜିଲାର କିଛି ସ୍ଥାନରେ କମ୍ରୁ ମଧ୍ୟମ ଧରଣ କୁହୁଡ଼ି ଦୃଶ୍ୟମାନ ହୋଇପାରେ।