ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଶେଷ ଟ୍ବେଣ୍ଟି୨୦, କିଏ ହାତାଇବ ସିରିଜ

ଟ୍ବେଣ୍ଟି୨୦ ବିଶ୍ବକପ୍‌ ପୂର୍ବରୁ ଶନିବାର ଭାରତ ଓ ନ୍ୟୁଜିଲାଣ୍ଡ ଶେଷ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ପାଞ୍ଚ ମ୍ୟାଚ୍‌ର ଟି୨୦ ଶୃଙ୍ଖଳାରେ ଏହା ଅନ୍ତିମ ମ୍ୟାଚ୍‌। ଘରୋଇ ଭାରତ ପ୍ରଥମ ୩ଟି ମ୍ୟାଚ୍‌କୁ ସହଜରେ ଜିତି ଶୃଙ୍ଖଳା ହାତେଇବା ପରେ ଚତୁର୍ଥ ଟ୍ବେଣ୍ଟି୨୦ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୫୦ ରନ୍‌ରେ ନ୍ୟୁଜିଲାଣ୍ଡ ଜିତିଥିଲା। ଏହି ସହଜ ବିଜୟ ପରେ ନ୍ୟୁଜିଲାଣ୍ଡ ନିଶ୍ଚୟ ଦୃଢ଼ ମନୋବଳ ହାସଲ କରିଛି। ବିଶ୍ବ ଚମ୍ପିଆନ୍‌ ଭାରତ ପଞ୍ଚମ ଟ୍ବେଣ୍ଟି୨୦ରେ ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ।

ଅନ୍ୟପକ୍ଷରେ ବିଶ୍ବକପ୍‌ ପୂର୍ବରୁ ଶେଷ ଟି୨୦ ମ୍ୟାଚ୍‌ ଜିତିବା ପାଇଁ ନ୍ୟୁଜିଲାଣ୍ଡ ପ୍ରୟାସ କରିବ। ଶୃଙ୍ଖଳାର ଫଇସଲା ହୋଇ ସାରିଥିଲେ ହେଁ ଉଭୟ ଦଳ ଏହି ମ୍ୟାଚ୍‌କୁ ଗୁରୁତ୍ବ ଦେବେ ନିଶ୍ଚୟ। ବିଶାଖାପାଟଣାରେ ନୂଆ ବଲ୍‌ରେ ଏବଂ ଅନ୍ତିମ ଓଭରରେ ଭାରତୀୟ ବୋଲିଂର ଦୁର୍ବଳତା ପଦାରେ ପକାଇ ପାରିଥିଲେ ନ୍ୟୁଜିଲାଣ୍ଡର ବ୍ୟାଟର। ପୁଣି ଭାରତ ବଡ଼ ରନ୍‌ର ପିଛାକରିବା ବେଳେ ନ୍ୟୁଜିଲାଣ୍ଡର ବୋଲର; ବିଶେଷକରି ସ୍ପିନର ନିୟମିତ ୱିକେଟ୍‌ ନେଇ ଭାରତକୁ ରୋକି ପାରିଥିଲେ।

ଚତୁର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭଲ ବ୍ୟାଟିଂ କରିଥିଲା। ଟିମ୍‌ ସୈଫର୍ଟ ଓ ଡେଭନ୍ କନ୍‌ୱେ ଦ୍ରୁତଗତିର ଇନିଂସ ଆରମ୍ଭ କରିଥିବା ବେଳେ ଡ୍ୟାରିଲ ମିଚେଲ ଚମତ୍କାର ଢଙ୍ଗରେ ଫିନିସ୍‌ କରିଥିଲେ। ପାୱରପ୍ଲେରେ ନ୍ୟୁଜିଲାଣ୍ଡ ୭୧ ରନ୍‌ କରିଥିବା ବେଳେ ଶେଷ ୩ ଓଭରରେ ୪୭ ରନ୍‌ କରିଥିଲା। ତୃତୀୟ ମ୍ୟାଚ୍‌ରେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିବା ଯଶପ୍ରୀତ ବୁମ୍‌ରା ୪ର୍ଥ ମ୍ୟାଚ୍‌ରେ ୪ ଓଭରରୁ ୩୮ ରନ୍‌ ଦେଇଥିଲେ। ବିଶ୍ବକପ୍‌ରେ ଭାରତର ପ୍ରଥମ ପସନ୍ଦର ଓପ୍‌ନର ସଞ୍ଜୁ ସାମ୍‌ସନ ୪ଟିଯାକ ମ୍ୟାଚ୍‌ରେ ବିଫଳ ହେବା ଦଳକୁ ଚିନ୍ତାରେ ପକାଇଛି।

Leave a comment