ଖଣି ଖିଲାପକାରୀ ଲିଜଧାରୀଙ୍କ ଉପରେ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ରାଜ୍ୟ ସରକାର କଠୋର ହେବାକୁ ହାଇକୋର୍ଟଙ୍କ ଆଦେଶ
ଲିଜଧାରୀମାନେ ବର୍ଷକୁ ଯେତିକି ପରିମାଣର ଖଣି ଉତ୍ତୋଳନ ପାଇଁ ଲିଜ୍ ନେଉଥିଲେ, ସେତିକି ପରିମାଣର ଖଣି ଉତ୍ତୋଳନ କଲେ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଲିଜ୍ଧାରୀଙ୍କ ଉପରେ ଲଗାଯାଇଥିବା ଜୋରିମାନା ଭରଣା କରିବା ତ ଦୂରର କଥା ସର୍ତ୍ତ ମଧ୍ୟ ପାଳନ କରିଲେ ନାହିଁ। ଫଳରେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଲା। ଏଣିକି ଖିଲାପକାରୀ ଖଣି ଲିଜଧାରୀଙ୍କ ଉପରେ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହିଭଳି ଲିଜ୍ଧାରୀଙ୍କ ବିରୋଧରେ ରାଜ୍ୟ ସରକାର କଠୋର ହେବାକୁ ହାଇକୋର୍ଟ ଆଦେଶ େଦଇଛନ୍ତି। ଖିଲାପକାରୀଙ୍କ ଖଣିକୁ ସରକାର ନିଜ ଅକ୍ତିଆରକୁ ନେଇପାରିବେ ବୋଲି ଅଦାଲତ କହିବା ସହ ମିନେରାଲ କନ୍ସେସନ୍ ରୁଲ୍ ଆଧାରରେ ଖିଲାପିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ହାଇକୋର୍ଟ ଆଦେଶ େଦଇଛନ୍ତି। ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ରାୟ ପ୍ରକାଶ କରି ଏହି ନିର୍ଦେଶ ଦେଇଛନ୍ତି।
ସିଟିଜେନ୍ ଆକ୍ସନ୍ ଫୋରମ୍ ପକ୍ଷରୁ ଅାଗତ ମାମଲାରେ ଦର୍ଶାଇଥିଲା ଯେ ଖଣି ଲିଜ୍ଧାରୀଙ୍କୁ ନିର୍ଦିଷ୍ଟ ପରିମାଣର ଖଣି କଞ୍ଚାମାଲ ଉତ୍ତୋଳନ ଉଠାଇବା ପାଇଁ ପରିବେଶ ମଞ୍ଜୁରୀ ମିଳିଥାଏ। ସେମାନେ ବାର୍ଷିକ କେତେ ପରିମାଣରେ ଖଣି କଞ୍ଚାମାଲ ଉତ୍ତୋଳନ କରିବେ ତାହା ରାଜ୍ୟ ସରକାରଙ୍କ ସହ ସ୍ଥିର କରିଥାନ୍ତି। ଜଣେ ଲିଜଧାରୀ ଯଦି ଧାର୍ଯ୍ୟ ପରିମାଣର ଖଣି ଉତ୍ତୋଳନ କରନ୍ତି ତେବେ ଏହାର ଲାଭ ରାଜ୍ୟ ସରକାରଙ୍କ ପାଇଥାନ୍ତି। ହେଲେ ରାଜ୍ୟରେ ବହୁ ଖଣିଲିଜ୍ଧାରୀମାନେ ଧାର୍ଯ୍ୟ ପରିମାଣର ଖଣି ଉତ୍ତୋଳନ କରୁ ନାହାନ୍ତି। ଏହାଦ୍ବାରା ସରକାରଙ୍କ ହଜାର ହଜାର କୋଟି କ୍ଷତି ଘଟୁଛି। ତେବେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବ୍ୟବସ୍ଥା ଥିଲେ ସୁଦ୍ଧା ସରକାର ସେମାନଙ୍କ ବିରୋଧରେ ପଦକ୍ଷେପ ନେଉ ନ ଥିବା ଫୋରମ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହା ଉପରେ ଅଦାଲତ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ। ରିପୋର୍ଟରେ ବିଭିନ୍ନ ଖିଲାପକାରୀ ଖଣିଲିଜ୍ଧାରୀଙ୍କ ଉପରେ ପ୍ରାୟ ୪୧ହଜାର କୋଟି ଟଙ୍କାର ଜରିମାନା ଗଡ଼ି ଅାସୁଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ େଦବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।