ବନ୍ଦ ହେବ ଶିଳ୍ପାନୁଷ୍ଠାନକୁ ମାଗଣା ଗ୍ରିଡ୍ ସେବା
ଶିଳ୍ପାନୁଷ୍ଠାନକୁ ମାଗଣା ଗ୍ରିଡ୍ ସେବା ବନ୍ଦ ହେବ। ଓଡ଼ିଶାରେ କାର୍ଯ୍ୟକ୍ଷମ ଥିବା କ୍ୟାପଟିଭ୍ ଜେନେରେଟିଂ ପ୍ଲାଣ୍ଟ୍ସ (ସିଜିପି) ଉପରେ ଗ୍ରିଡ୍ ସେବା ଶୁଳ୍କ ବସାଇବା ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ନିର୍ଦିଷ୍ଟ ଚିଠା ଅଧିନିୟମ, ୨୦୨୬ ଜାରି କରିଛି। ଓଇଆରସି ୱେବ୍ସାଇଟରେ ଚିଠା ଅଧିନିୟମ ପ୍ରକାଶ ପାଇଛି। ଇଚ୍ଛୁକ ବ୍ୟକ୍ତିବିଶେଷ ଚିଠା ଅଧିନିୟମକୁ ଡାଉନ୍ଲୋଡ୍ କରି ମତାମତ ଦେବାକୁ ଚାହିଁଲେ ଫେବୃଆରୀ ୨୩ ମଧ୍ୟରେ ତାହା ଓଇଆରସିରେ ଦାଖଲ କରିପାରିବେ।
ଶିଳ୍ପାନୁଷ୍ଠାନର ବିଦ୍ୟୁତ୍ ଚାହିଦା ପୂରଣ ପାଇଁ ଯେଉଁ ରାଜ୍ୟରେ ସିଜିପି ସ୍ଥାପନ କରାଯାଇଛି, ସେସବୁ ରାଜ୍ୟରେ ଥିବା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମଗୁଡ଼ିକ ସେମାନଙ୍କଠାରୁ ଗ୍ରିଡ୍ ସେବା ଶୁଳ୍କ (ଗ୍ରିଡ୍ ସପୋର୍ଟ ଚାର୍ଜେସ) ଆଦାୟ କରୁଛନ୍ତି। ଓଡ଼ିଶାରେ ପ୍ରାୟ ୧୫,୦୦୦ ମେଗାୱାଟ କ୍ଷମତାର ୬୦ଟି ସିଜିପି କାର୍ଯ୍ୟକ୍ଷମ ହୋଇ ଶିଳ୍ପାନୁଷ୍ଠାନର ବିଦ୍ୟୁତ୍ ଚାହିଦା ପୂରଣ କରୁଥିଲେ ବି ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମ ଲି. (ଓପିଟିସିଏଲ) ଏପର୍ଯ୍ୟନ୍ତ କୌଣସି ଗ୍ରିଡ୍ ସେବା ଶୁଳ୍କ ପାଉନି। ଫଳରେ ଓପିଟିସିଏଲ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କା ରାଜସ୍ବ ହରାଉଛି। ଯାହାକୁ ପ୍ରତିବର୍ଷ ଉପଭୋକ୍ତା ସଞ୍ଚାରଣ ଟାରିଫ ମାଧ୍ୟମରେ ଭରଣା କରୁଛନ୍ତି। ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡୁ ଆଦି ରାଜ୍ୟ ସିଜିପିଠାରୁ ଗ୍ରିଡ୍ ସେବା ଶୁଳ୍କ ଆଦାୟ କରୁଥିଲେ ବି ସେମାନଙ୍କର ସମୁଦାୟ ସିଜିପି ସ୍ଥାପିତ କ୍ଷମତା ମାତ୍ର ୯,୦୦୦ ମେଗାୱାଟ ଭିତରେ ସୀମିତ।
ଓଡ଼ିଶାର ସିଜିପିଗୁଡ଼ିକର କ୍ଷମତା ପ୍ରାୟ ୧୫,୦୦୦ ମେଗାୱାଟ, ଯାହା ସର୍ବଭାରତୀୟସ୍ତରରେ ସର୍ବାଧିକ। ଏହି ପ୍ରସଙ୍ଗ ଉପରେ ପ୍ରତିବର୍ଷ ଟାରିଫ ଜନଶୁଣାଣି ସମୟରେ ଗ୍ରିଡ୍ ସେବା ଶୁଳ୍କ ବସାଇବା ପାଇଁ ଓଇଆରସି ଉପରେ ଚାପ ପଡୁଥିଲା। ୨୦୨୦ରେ ଓପିଟିସିଏଲ ସିଜିପିଠାରୁ ଗ୍ରିଡ୍ ସେବା ଶୁଳ୍କ ଆଦାୟର ପ୍ରୟୋଜନୀୟତା ଉପରେ ଓଇଆରସିରେ ଆବଶ୍ୟକ ଦରଖାସ୍ତ ଦାଖଲ କରିଥିଲା। ଓଇଆରସି ଏହା ଉପରେ ଜନଶୁଣାଣି କରିଥିଲା। ସିଜିପି ପରିଚାଳନା କରୁଥିବା କିଛି ସଂସ୍ଥା ଜନଶୁଣାଣିରେ ଭାଗନେଇ ଓପିଟିସିଏଲ୍ ଦରଖାସ୍ତକୁ ବିରୋଧ କରିଥିଲେ। ମାମଲା ବନ୍ଦ କରିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୨୦୨୩ ଜୁଲାଇ ୬ରେ ଆଦେଶ ଜାରି କରିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଓପିଟିସିଏଲ ସିଜିପି ଉପରେ ଆବଶ୍ୟକ ଦଲିଲ ଓ ଦସ୍ତାବିଜ ପ୍ରସ୍ତୁତ କରି ଓଇଆରସିରେ ଦାଖଲ କରିଥିଲା। ଓଡ଼ିଶାରେ କାର୍ଯ୍ୟକ୍ଷମ ଥିବା ସିଜିପି ଉପରେ ଏକବର୍ଷ ତର୍ଜମା କରିବା ପରେ ଓଇଆରସି ଗ୍ରିଡ୍ ସେବା ଶୁଳ୍କ ବସାଇବା ପାଇଁ ଚିଠା ଅଧିନିୟମ ଜାରି କରିଛି।
ଚିଠା ଅଧିନିୟମ ଉପରେ ମତ ରଖି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ଓଡ଼ିଶାରେ ୨୦୧୪ରେ କାର୍ଯ୍ୟକ୍ଷମ ଥିବା ୧୨,୦୦୦ ମେଗାୱାଟ କ୍ଷମତାର ସିଜିପି ଉପରେ ଶୁଳ୍କ ବସାଇବା ପାଇଁ ସେ ଓଇଆରସିରେ ଦାବି କରି ଆସୁଥିଲେ। କିନ୍ତୁ ଓଇଆରସି ଓ ଓପିଟିସିଏଲ ସେତେବେଳେ ତାହାକୁ ଗୁରୁତ୍ବ ଦେଇନଥିଲା। ବାରମ୍ବାର ଦାବି ହେବା ଫଳରେ ୨୦୨୦ରେ ଓପିଟିସିଏଲ ଗ୍ରିଡ୍ ସେବା ଶୁଳ୍କ ଆଦାୟ ଓ ଏହାର ପ୍ରୟୋଜନୀୟତା ଉପରେ ଓଇଆରସିରେ ଦରଖାସ୍ତ ଦାଖଲ କରିଥିଲା।
ରାଜ୍ୟ ଗ୍ରିଡ୍ ସେବାକୁ ସୁପରିଚାଳନା କରିବା ପାଇଁ ଓପିଟିସିଏଲ୍ ବାର୍ଷିକ ଆବଶ୍ୟକ କରୁଥିବା ସମୁଦାୟ ୧,୦୦୦ କୋଟି ଟଙ୍କା ରାଜସ୍ବ ବିତରଣ କମ୍ପାନୀଗୁଡ଼ିକ ମାଧ୍ୟମରେ ଉପଭୋକ୍ତାଙ୍କଠାରୁ ୟୁନିଟ ପିଛା ୨୫.୫୦ ପଇସାରୁ ଅଧିକ ହିସାବରେ ଆଦାୟ କରାଯାଉଛି, ଅର୍ଥାତ ଓପିଟିସିଏଲର ସମୁଦାୟ ବାର୍ଷିକ ଖର୍ଚ୍ଚକୁ ଉପଭୋକ୍ତାମାନେ ଭରଣା କରୁଛନ୍ତି। କିନ୍ତୁ ସିଜିପି ଉପରେ ଗ୍ରିଡ୍ ସେବା ଶୁଳ୍କ ଲାଗୁ ହୋଇଗଲେ ଓପିଟିସିଏଲ ସେ ବାବଦକୁ ବାର୍ଷିକ ୫୦୦ କୋଟି ଟଙ୍କା ରାଜସ୍ବ ପାଇବ। ଫଳରେ ଉପଭୋକ୍ତାଙ୍କୁ ଆଉ ଓପିଟିସିଏଲର ସମୁଦାୟ ଖର୍ଚ୍ଚକୁ ଭରଣା କରିବାକୁ ପଡ଼ିବ ନାହିଁ। ଉପଭୋକ୍ତାମାନେ ସଞ୍ଚାରଣ ଟାରିଫ ପାଇଁ ଯେଉଁ ବିଦ୍ୟୁତ୍ ବିଲ୍ ଭରଣା କରୁଥିଲେ ତାହା ଅଧା ହ୍ରାସ ପାଇବ। ସିଜିପିଗୁଡ଼ିକ ଉପରେ ଗ୍ରିଡ୍ ସେବା ଶୁଳ୍କ ବସାଇବା ପାଇଁ ଓଇଆରସି ବିଜ୍ଞାପିତ କରିଥିବା ଚିଠା ଅଧିନିୟମ ୨୦୨୬କୁ ଶ୍ରୀ ମହାପାତ୍ର ସ୍ବାଗତ କରିଛନ୍ତି।