ସଂଗୀତ ଜଗତରୁ ହଜିଗଲା ଜଣେ ତାରକା, ଆରପାରିରେ ଆଲବମ ଜଗତର କିଙ୍ଗ ଅଭିଜିତ ମଜୁମଦାର

ସଂଗୀତ ଜଗତରୁ ହଜିଗଲା ଜଣେ ତାରକା । ଆଉ ନାହାନ୍ତି ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ, ଆଲବମ ଜଗତର କିଙ୍ଗ କୁହା ଯାଉଥିବା ଅଭିଜିତ ମଜୁମଦାର । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳ ୯.୦୨ ମିନିଟ ରେ ତାଙ୍କର ମୃତ୍ୟୁ ହୋଇଛି । ମଲ୍ଟି ଅର୍ଗାନ ଫେଲ ହେବା ଯୋଗୁ କୋମାରେ ଥିଲେ ଅଭିଜିତ ।

ଓଲିଉଡରେ ଅଭିଜିତ ଦାଦା ଭାବେ ପରିଚିତ ଥିଲେ ସେ । ସିନେମା ସହ ଆଲବମ୍ ଗୀତରେ ଶ୍ରୋତାଙ୍କ ମନ ମହୁଥିଲେ ଅଭିଜିତ । ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ କଣ୍ଠଦାନ କରିଛନ୍ତି । ‘ଏ ଗୌରା…ଆଜିକାଲି କଣ ଖାଉଛୁ..’ ‘ଏ ସାଲୁ…’, ରିବନ ଫିତା…ଆଦି ହନେକ ହିଟ୍ ଆଲବମ ରହିଛି । ସେହିଭଳି କାଶିଆ କପିଳା, ରଖିବ ଯଦି ସେ ମାରିବ କିଏ, ମୋ ସୁନା ପୁଅ, ମୁନ୍ନା ଏ ଲଭଷ୍ଟୋରୀ, ତୁ ଥା ମୁଁ ଯାଉଛି ରୁଷି, ବାଳୁଙ୍ଗା ଟୋକା, ମାଟ୍ରିକ୍ ପେଲ୍, ରଙ୍ଗିଲା ଟୋକା, ଲଭ୍ ମାଷ୍ଟର, ଆମେ ତ ଟୋକା ଷଣ୍ଢ ମାର୍କା, ଭଉଁରୀ, ଇସ୍କ ତୁ ହି ତୁ, ସମୟ ବଡ଼ ବଳବାନ, ଲଭ୍ ଷ୍ଟେସନ୍ ଏମିତି ଅନେକ ଫିଲ୍ମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବାବୁଶାନଙ୍କ ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲମାନ ଖାଁ, ଶ୍ରୀମାନ ସୁରଦାସ, ଓ ଅନୁଭବଙ୍କ କାବୁଲା ବାରବୁଲାରେ ବି ସେ ମ୍ୟୁଜିକ ଦେଇଛନ୍ତି ।

କଟକରେ ଜନ୍ମ, କଟକ ପାଣି ପବନରେ ବଢ଼ିଥିବା ଅଭିଜିତ ମଜୁମଦାର ସମସ୍ତଙ୍କର ପ୍ରିୟ ଥିଲେ । ପ୍ରଥମେ ସମ୍ବଲପୁରୀ ଆଲବମରୁ କ୍ୟାରିୟର ଆରମ୍ଭ କରି ଓଲିଉଡରେ ପହଞ୍ଚିଥିଲେ । ସେ ୭୦୦ରୁ ଅଧିକ ଗୀତକୁ ସଂଗୀତରେ ସଜାଇଛନ୍ତି । ତାଙ୍କ ଦେହାନ୍ତରେ ସାରା ଓଲିଉଡରେ ଶୋକର ଛାୟା ଖେଳି ଯାଇଛି ।

Leave a comment