ଆଗାମୀ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ପଡ଼ିବାର ସମ୍ଭାବନା

ରାଜ୍ୟରେ ଶୀତ ପ୍ରଭାବ ଜାରି ରହିଛି । ଆଗାମୀ ୪ ଦିନ ଯାଏଁ ରାତ୍ରି ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ପଶ୍ଚିମ ଓ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୯ରୁ ୧୩ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବା ସହ ଫୁଲବାଣୀ, ରାଉରକେଲା ଓ ଝାରସୁଗୁଡ଼ା ଭଳି ଅଞ୍ଚଳରେ ଶୀତର ତୀବ୍ରତା ଅଧିକ ଅନୁଭବ ହେବାର ସମ୍ଭବନା ରହିଛି । ସେପଟେ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୪ରୁ ୧୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ରହିଛି । ତେବେ ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ ।

ସେହିପରି ଆଗାମୀ ୩ ଦିନ ଯାଏଁ ସକାଳ ସମୟରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି ଦେଖାଦେଇପାରେ । ରାଜ୍ୟର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୧.୬ ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ପାହାଡ଼ିଆ ଅଞ୍ଚଳ ଜି.ଉଦୟଗିରିରେ ସର୍ବନିମ୍ନ ୫.୭ ଡିଗ୍ରୀ ସେଲସିୟସ୍ ରହିଛି । ରାଜଧାନୀ ଭୁବନେଶ୍ୱରରେ ଶନିବାର ସର୍ବାଧିକ ତାପମାତ୍ରା ୩୦.୬ ଡିଗ୍ରୀ ଓ ସର୍ବନିମ୍ନ ୧୪.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ସକାଳ ବେଳେ ହାଲୁକା କୁହୁଡ଼ି ଦେଖାଦେଇଥିଲା ।

Leave a comment