ସ୍ପେନରେ ଟ୍ରେନ୍ ଦୁର୍ଘଟଣା,୨୦ ମୃତ ୭୦ରୁ ଅଧିକ ଆହତ

ସ୍ପେନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଦୁଇଟି ଟ୍ରେନ୍ ଧକ୍କା ହୋଇଥିଲା, ଏବଂ ତା’ପରେ ଗୋଟିଏ ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲା। ଏପର‌୍ୟ୍ୟନ୍ତ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୨୫ ରୁ ଅଧିକଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

କର୍ଡୋବା ରାଜ୍ୟର ଆଡାମୁଜ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି, ଯାହା ଫଳରେ ମାଡ୍ରିଡ୍ ଏବଂ ଆଣ୍ଡାଲୁସିଆ ମଧ୍ୟରେ ଟ୍ରେନ ସେବା ବନ୍ଦ ହୋଇଯାଇଛି। ମାଲାଗାରୁ ମାଡ୍ରିଡ୍ ଯାଉଥିବା ହାଇ-ସ୍ପିଡ୍ ଟ୍ରେନଟି ହଠାତ୍ ଲାଇନଚ୍ୟୁତ ହୋଇ ବିପରୀତ ଟ୍ରାକକୁ ଚାଲିଗଲା, ଏବଂ ଆସୁଥିବା ମାଡ୍ରିଡ୍-ହୁଏଲଭା ଟ୍ରେନ ସହିତ ଧକ୍କା ହେଲା। ଉଭୟ ହାଇ-ସ୍ପିଡ୍ ଟ୍ରେନରେ ପ୍ରାୟ ୫୦୦ ଲୋକ ଥିଲେ।

କର୍ଡୋବାର ଅଗ୍ନିଶମ ବାହିନୀ ମୁଖ୍ୟ ଫ୍ରାନ୍ସିସ୍କୋ କାର୍ମୋନା ଦୁର୍ଘଟଣାର ସତ୍ୟତାକୁ ନିଶ୍ଚିତ କରି କହିଛନ୍ତି ଯେ ଗୋଟିଏ ଟ୍ରେନ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପ୍ରାୟ ଚାରୋଟି କୋଚ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଯାତ୍ରୀ ପୂର୍ଣ୍ଣ ଗୋଟିଏ କୋଚ୍ ପ୍ରାୟ ଚାରି ଫୁଟ ତଳକୁ ଖସିପଡ଼ିଥିଲା। ଆଣ୍ଡାଲୁସିଆର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଣ୍ଟୋନିଓ ସାଞ୍ଜ ମୃତକଙ୍କ ସଂଖ୍ୟା ନିଶ୍ଚିତ କରିବା ସହିତ ଶୋକ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।

Leave a comment