୧୯ ବର୍ଷରୁ କମ୍‌ ବିଶ୍ବକପ : ବାଂଲାଦେଶ କୁ ହରାଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିିଛି ଭାରତ

ଅଭିଜ୍ଞାନ କୁଣ୍ଡୁ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ବକପରେ ଭାରତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିିଛି। ଶନିବାର ଗ୍ରୁପ୍‌ ‘ବି’ର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ୧୮ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଅଭିଜ୍ଞାନ କୁଣ୍ଡୁଙ୍କର ସର୍ବାଧିକ ୮୦ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ୭୨ ରନ ବଳରେ ଭାରତ ୨୩୮ରନ କରିଥିଲା। ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ବାଂଲାଦେଶକୁ ୨୯ ଓଭରରେ ୧୬୫ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ବାଂଲାଦେଶ ୨୮.୩ ଓଭରରେ ୧୪୬ ରନ କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା।

ବାଂଲାଦେଶର ଆଜିଜୁଲ ହାକିମ ସର୍ବାଧିକ ୫୧, ରିଫାତ୍‌ ବେଗ୍‌ ୩୭ ଏବଂ କଲାମ୍ ସିଦ୍ଦିକି ଓ ରିଜାନ୍ ହୋସେନ୍‌ ୧୫ ରନ୍‌ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ବିହାନ ମାଲହୋତ୍ରା ୪ଟି ଓ ଖିଲାନ ପଟେଲ ୨ଟି ୱିକେଟ ନେଇଥିଲେ। ବାଂଲାଦେଶ ଟସ୍‌ ଜିତି ଫିଲ୍‌ଡିଂ କରିଥିଲା। ଭାରତ ୧୨ ରନରେ ୨ଟି ୱିକେଟ ହରାଇଥିଲା। ଅଧିନାୟକ ଆୟୁଷ ମାହାତ୍ରେ ୬ ଓ ବେଦାନ୍ତ ତ୍ରିବେଦୀ ଶୂନ୍‌ରେ ଆଉଟ୍‌ ହୋଇଥିଲେ। ବିହାନ ମାଲହୋତ୍ରା ୭ରନ କରିଥିଲେ। ୪ର୍ଥ ୱିକେଟରେ ଅଭିଜ୍ଞାନ କୁଣ୍ଡୁ ଓ ବୈଭବ ୬୨ ରନ୍‌ର ଭାଗିଦାରୀ କରିଥିଲେ। ବୈଭବ ୬୭ଟି ବଲରୁ ୬ଟି ଚୌକା ଓ ୩ଟି ଛକା ସହ ୭୨ରନ କରି ଆଉଟ୍‌ ହୋଇଥିଲେ। ଷଷ୍ଠ ୱିକେଟରେ କୁଣ୍ଡୁ ଓ କନିଷ୍କ ଚୌହ୍ବାନ ୫୪ରନ ଭାଗିଦାରୀ କରିବା ସହ ସ୍କୋରକୁ ୧୭୩ରନରେ ପହଞ୍ଚାଇଥିଲେ।

କନିଷ୍କ ୨୮ରନ କରି ଆଉଟ୍‌ ହୋଇଥିଲେ। ଅଭିଜ୍ଞାନ କୁଣ୍ଡୁ ୧୧୨ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୮୦ ରନ୍‌ କରିଥିଲେ। ବଳରେ ୪୮.୪ ଓଭରରେ ୨୩୮ରନ କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ବାଂଲାଦେଶ ପକ୍ଷରୁ ଅଲୀ ଫହାଦ ୫ଟି, ଇକବାଲ ହୋସେନ ଇମୋନ ଓ ଆଜିଜୁଲ ହାକିମ ୨ଟି ଲେଖାଏଁ ୱିକେଟ ନେଇଥିଲେ। ବିହାନ ମାଲହୋତ୍ରା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଭାରତ ପ୍ରଥମ ମ୍ୟାଚରେ ଆମେରିକାକୁ ପରାସ୍ତ କରିଥିବା ବେଳେ ଅନ୍ତିମ ଲିଗ୍‌ ମ୍ୟାଚ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।

Leave a comment