ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଅନେକ ନିଷ୍ପତ୍ତି ହୋଇଛି। ଆଦର୍ଶ ଗୁରୁକୁଳ ପାଇଁ ନୂଆ ସଂସ୍ଥା ସହ ବୁଝାମଣା ହେବ। ମାଟିତୋଟାରେ ଚିହ୍ନଟ ୧୭ ଏକର ଜମିରେ ଗୁରୁକୂଳ ନିର୍ମିତ ହେବ। ରତ୍ନଭଣ୍ଡାର ଗଣତି ମଣତି ପାଇଁ ପ୍ରସ୍ତୁତ ଚିଠା ମାର୍ଗଦର୍ଶିକାକୁ କମିଟି ମୋହର ମାରିଛି। ଏହାକୁ ସରକାରୀ ମୋହର ପାଇଁ ପଠାଯିବ। ହେଲେ ଗଣତି ମଣତି ତାରିଖ ଧାର୍ଯ୍ୟ ହୋଇନାହିଁ। ସେହିଭଳି ଗୁଣ୍ଡିଚା ମନ୍ଦିର ଖୋଲିବା ତିଥି ସ୍ଥିର ହୋଇନାହିଁ। ପରିଚାଳନା କମିଟିର ସେବାୟତ ସଦସ୍ୟ ପରିଦର୍ଶନ କରିବା ପରେ ଖୋଲିବା ନିଷ୍ପତ୍ତି ହେବ। ଶ୍ରୀଜଗନ୍ନାଥଙ୍କ  ଜମିରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପିତ ହୋଇଛି।

ଏ ବାବଦରେ ସରକାର ବେଞ୍ଚ ଭାଲ୍ୟୁ ଅନୁଯାୟୀ ୩୫ କୋଟି ଟଙ୍କା ପ୍ରଦାନ କରିବେ। ଏ ନେଇ ସରକାରଙ୍କୁ ଅବଗତ କରିବାକୁ କମିଟି ନିଷ୍ପତ୍ତି ନେଇଛି। ଅନ୍ୟପଟେ ଭକ୍ତ ନିବାସ ପାର୍କିଂ ଫି ୫ଶହ ଟଙ୍କା ଧାର୍ଯ୍ୟ ପରେ ବିରୋଧ ହୋଇଥିଲା। ଏହାକୁ ୨୪୦ ଟଙ୍କାକୁ କମାଇ ଦିଆଯାଇଛି। ସିଂହଦ୍ବାର ଗୁମୁଟ ମରାମତି ବେଳେ କଢ଼ାଯାଇଥିବା ଦଶାବତାର ମୂର୍ତ୍ତିର ନବମ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ଥାନିତ କରିବା ନେଇ ତର୍କ ସୃଷ୍ଟି ହୋଇଥିଲା।

ଏହାର ସମାଧାନ ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିବାକୁ ନିଷ୍ପତ୍ତି ହୋଇଛି। ଏଣିକି ସେବାୟତଙ୍କ କ୍ଷେତ୍ରରେ ମୋବାଇଲ କଟକଣା ଲାଗୁ ହେବ। ଖୋଲାମେଲାରେ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିର ଭିତର ଫଟୋ ଉତ୍ତୋଳନ ଦଣ୍ଡ କଡ଼ାକଡ଼ି ଲାଗି ଶ୍ରୀମନ୍ଦିର ଆଇନରେ ସଂଶୋଧନ ଅଣାଯିବ।  ପରିଚାଳନା କମିଟି ଅଧ୍ୟକ୍ଷ ଗଜପତିମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଅନ୍ୟ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a comment