ପାଦ ଛୁଇଁଲେ, ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ ଦେଲେ ଜନ୍ମଦାତ୍ରୀ ମା’:ଯୋଗୀ
ମେଟ୍ରୋ ଟିଭି ଓଡିଶା (୪.୫.୨୦୨୨)
ଉତ୍ତରାଖଣ୍ଡ ଗସ୍ତ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ପୈତୃକ ଗାଁ ଯମକେଶ୍ୱରକୁ ପହଞ୍ଚିଛନ୍ତି । ଯୋଗୀ ନିଜର ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି । ପୁଅକୁ ଦୀର୍ଘ ଦିନର ବ୍ୟବଧାନ ପରେ ଦେଖିଥିବାରୁ ମା’ ସାବିତ୍ରୀ ଦେବୀ ବହୁତ ଖୁସି ଅନୁଭବ କରିଛନ୍ତି । ସେ ନିଜ ପୁଅ ଯୋଗୀଙ୍କ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ମା’ଙ୍କ ସହିତ କିଛି ସମୟ କଥାବାର୍ତ୍ତା ମଧ୍ୟ କରିଥିଲେ । ଏହି ଥିଲା ଏକ ଆବେଗପୂର୍ଣ୍ଣ ସମୟ । ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ମା’ଙ୍କୁ ବହୁତ ଦିନର ବ୍ୟବଧାନ ପରେ ଭେଟିଥିଲେ । ତେଣୁ ସେ ଯେତେବେଳେ ମା’ଙ୍କୁ ଭେଟିଥିଲେ, ଖୁସିର ସୀମା ନଥିଲା । ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ମା’ଙ୍କ ପାଖରେ ବସି କଥା ହୋଇଥିଲେ ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ, ପୌଡି ଗଡ଼ୱାଲର ଯମକେଶ୍ୱରରେ ଗୁରୁ ଗୋରଖନାଥ ମହାବିଦ୍ୟାଳୟ ପରିସରରେ ନିଜର ଗୁରୁ ମହନ୍ତ ଅବୈଧନାଥଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ ସମୟରେ ସେ ନିଜର ମା’-ବାପା ଓ ଗୁରୁଙ୍କୁ ମନେ ପକାଇ ଭାବୁକ ହୋଇଯାଇଥିଲେ । ତାଙ୍କର ଆଖିରୁ ଛଳ ଛଳ ହୋଇ ଲୁହ ଗଡ଼ିଯାଇଥିଲା । ଯୋଗୀ କହିଥିଲେ ଯେ, ଆଜି ନିଜ ଗୁରୁ ପୂଜ୍ୟ ମହନ୍ତ ଅବୈଧନାଥଙ୍କ ପ୍ରତିମା ଉନ୍ମୋଚନ କରି ବହୁତ ଖୁସି ଅନୁଭବ କରୁଛି । ମୋ ପାଇଁ ଏହା ଗର୍ବ ଓ ଗୌରବର ବିଷୟ । ନିଜ ଜନ୍ମମାଟିରେ ଗୁରୁଙ୍କୁ ସମ୍ମାନ ଦେଇପାରୁଛି ।
ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥ ୫ ବର୍ଷ ପରେ ନିଜର ପୈତୃକ ଗାଁକୁ ଯାଇଛନ୍ତି । ସେହିପରି ସନ୍ୟାସ ନେବାର ୨୮ ବର୍ଷ ପରେ ନିଜ ଘରେ ରାତ୍ରିଯାପନ କରିଛନ୍ତି । କରୋନା କାଳରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପିତା ଆନନ୍ଦ ସିଂହ ବିଷ୍ଟଙ୍କ ପରଲୋକ ହୋଇଥିଲା । କିନ୍ତୁ ସେ ନିଜ ପିତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯାଇପାରି ନଥିଲେ ।
ମୁଖ୍ୟମନ୍ତ୍ରୀ ଯୋଗୀ ୩ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । ସେ ଆଜି ନିଜ ପୈତୃକ ଘରେ ସାନଭାଇ ମହେନ୍ଦ୍ର ସିଂହ ବିଷ୍ଟଙ୍କ ପୁଅଙ୍କ ମୁଣ୍ଡନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ପୋଲିସ ପୂରା ଘରକୁ କୌଣସି ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିଦିଆଯାଇଛି । ଯୋଗୀ ମେ’ ୫ ତାରିଖରେ ହେଲିକପ୍ଟର ଜରିଆରେ ହରିଦ୍ୱାର ପହଞ୍ଚିବେ । ସେଠାରେ ସେ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଓ ଉତ୍ତରାଖଣ୍ଡ ପର୍ଯ୍ୟଟନର ହୋଟେଲ ‘ଅଲକାନନ୍ଦା’ ଉଦ୍ଘାଟନ କରିବେ । ଏଥି ସହିତ ସାଧୁସନ୍ଥଙ୍କ ଦ୍ୱାରା ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିବେ ।