ନୂଆପଡ଼ା ଉପନିର୍ବାଚନରେ ପରାଜୟର ସମୀକ୍ଷା କଲେ ଦଳୀୟ ସୁପ୍ରିମୋ ନବୀନ

ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପରେ ଆଜି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଏକ ବଡ଼ ଧରଣର ସମୀକ୍ଷା କରିଛନ୍ତି । ନବୀନ ନିବାସରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ନୂଆପଡ଼ା ଜିଲ୍ଲା ସଭାପତି, ପରାଜିତ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ପରାଜୟର କାରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ଏହି ଅବସରରେ ନବୀନ  ପଟ୍ଟନାୟକ  ଦଳୀୟ ନେତାମାନଙ୍କୁ ସାହସର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନର ସରକାରଙ୍କୁ ଭୟ ନକରି ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ । ସରକାରଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଲଢେଇ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ଆଲୋଚନା ପରେ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ନେହାଙ୍ଗିନୀ ଛୁରିଆ ଶାସକ ଦଳ ବିଜେପି ଉପରେ ବର୍ଷିଛନ୍ତି । ସେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ପ୍ରଶାସନର ସହାୟତାରେ ବୁଥ୍ ରିଗିଂ କରି ବିଜେପି ଏହି ବିଜୟ ହାସଲ କରିଛି । ବର୍ତ୍ତମାନ ପ୍ରଶାସନ ବିଜେପିର ହାତବାରିସି ସାଜି କାମ କରୁଛି ଏବଂ ବିଜେଡିର ଅଭିଯୋଗ ଶୁଣାଯାଉ ନାହିଁ । ରାଜ୍ୟରେ ଚାଷୀଙ୍କ ଧାନ କିଣାଯାଉ ନାହିଁ ଏବଂ ସରକାରଙ୍କ କଥା ଓ କାମରେ ଆକାଶ ପାତାଳ ଫରକ ରହିଛି ବୋଲି ସେ କହିଛନ୍ତି ।

ବିଜେଡି ପକ୍ଷରୁ କୁହାଯାଇଛି ଯେ, ପରାଜୟ ସତ୍ତ୍ୱେ ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗିନାହିଁ । ନୂଆପଡ଼ାର ୬ରୁ ୫ଟି ଜିଲ୍ଲା ପରିଷଦ ଆସନ ଏବେ ବି ବିଜେଡି ଦଖଲରେ ରହିଛି, ଯାହା ଦଳର ଦବଦବାକୁ ପ୍ରମାଣିତ କରୁଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଇଭିଏମ ବଦଳରେ ବାଲାଟ ପେପରରେ ଭୋଟ ହେବ ଏବଂ ସେତେବେଳେ ଜନସାଧାରଣ ବିଜେପିକୁ ଉଚିତ୍ ଜବାବ ଦେବେ ବୋଲି ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି ।