ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି
ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବର ବେକାରି ହାର ୫.୨ ପ୍ରତିଶତ ଥିଲା। ଗତ ଏପ୍ରିଲ୍ ପରେ ଦେଶରେ ବେକାରି ହାର ସର୍ବନିମ୍ନ ସ୍ତରକୁ ଖସିଛି। ନଭେମ୍ବରରେ ଗ୍ରାମୀଣ ବେକାରି ହାର ୩.୯ ପ୍ରତିଶତ ଓ ସହରାଞ୍ଚଳରେ ତାହା ୬.୫ ପ୍ରତିଶତ ରହିଛି। ଉଭୟ ପୁରୁଷ ଓ ମହିଳାଙ୍କୁ ନଭେମ୍ବରରେ ଅଧିକ କାମ ମିଳିଥିଲା। ସେଥିପାଇଁ ମହିଳା ବର୍ଗରେ ବେକାରି ହାର ୪.୮ ପ୍ରତିଶତକୁ ଖସିଆସିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳା ବେକାରି ହାର ୩.୪ ପ୍ରତିଶତ ଓ ୯.୩ ପ୍ରତିଶତକୁ ହ୍ରାସ ପାଇଛି।ମୋଟ ଉପରେ ପୁରୁଷ ବେକାରି ହାର ଗତ ଅକ୍ଟୋବରର ୫.୧ ପ୍ରତିଶତ ତୁଳନାରେ ନଭେମ୍ବରରେ ୪.୬ ପ୍ରତିଶତକୁ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ପୁରୁଷ ବେକାରି ହାର ୪.୧ ପ୍ରତିଶତକୁ ଓ ସହରାଞ୍ଚଳରେ ୫.୬ ପ୍ରତିଶତକୁ ହ୍ରାସ ପାଇଛି। ସରକାର ଏହା ମଧ୍ୟ ଜଣାଇଛନ୍ତି ଯେ ଚଳିତ ବର୍ଷ ଏପ୍ରିଲ୍ରୁ ନଭେମ୍ବର ମଧ୍ୟରେ ପୁରୁଷ, ମହିଳା ଓ ସବୁ ବର୍ଗରେ ବେକାରି କମ୍ ହୋଇଛି। ଗ୍ରାମାଞ୍ଚଳରେ ବେକାରି ଯଥେଷ୍ଟ କମ୍ ହୋଇଛି। ସହରାଞ୍ଚଳରେ ଏହା ସାମାନ୍ୟ ଅଧିକ ଥିଲେ ମଧ୍ୟ ଧୀରେ ଧୀରେ ସେଥିରେ ସୁଧାର ଘଟୁଛି।
ରିପୋର୍ଟରେ କୁହାଯାଇଛି ଯେ ନଭେମ୍ବରରେ କର୍ମଜୀବୀ ଲୋକସଂଖ୍ୟା ଅନୁପାତ ୫୩.୨ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତ ଅକ୍ଟୋବରରେ ୫୨.୮ ପ୍ରତିଶତ ଥିଲା। ଗ୍ରାମାଞ୍ଚଳରେ ଏହି ଅନୁପାତ ୫୬.୩ ପ୍ରତିଶତ ରହିଛି। କର୍ମଜୀବୀ ମହିଳା ଜନସଂଖ୍ୟା ଅନୁପାତ ୩୩.୪ ପ୍ରତିଶତକୁ ବଢ଼ିଛି। ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ୫୫.୮ ପ୍ରତିଶତ ରହିଛି ଯାହା ଗତ ଏପ୍ରିଲ୍ ପରଠାରୁ ସର୍ବାଧିକ।