ଶୀତରୁ ନିସ୍ତାର ମିଳିବନି
ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଗୋଟିଏ ଦୁଇଟି ସହରର ତାପମାତ୍ରା ଏପାଖ ସେପାଖ ହୋଇପାରେ । ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ 24ଘଣ୍ଟା ମ ଧ୍ୟରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରି ରେକର୍ଡ ହୋଇଛି ।
ସେହିପରି ଘୂ.ଉଦୟଗିରିରେ ତାପମାତ୍ରା ୪.୨ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୬ ଡିଗ୍ରି, ସିମିଳିଗୁଡ଼ାରେ ୬.୧ ଡିଗ୍ରୀ, କୋରାପୁଟରେ ୭ ଡିଗ୍ରୀ, ରାଉରକେଲାରେ ୮.୨ ଡିଗ୍ରୀ, ଚିପିଲିମାରେ ୮.୬ ଡିଗ୍ରୀ, ଝାରସୁଗୁଡ଼ାରେ ୮.୯ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ, ବୌଦ୍ଧ ଓ କିରୋଇରେ ୯.୮ ଡିଗ୍ରି ରହିଥିଲା । ଅନ୍ୟ ସମସ୍ତ ସହରର ପାରଦ ୧୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ଥିଲା । କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ପଡ଼ିଛି। କେତେକ ସ୍ଥାନରେ ପାରଦ ସ୍ବାଭାବିକ ଠାରୁ ୬ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଅନ୍ୟୂନ ଆଉ କିଛି ଦିନ ଶୀତରୁ ନିସ୍ତାର ମିଳିବନି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁଯାୟୀ ଜିଲ୍ଲାରେ ଜାଡ଼ ଅବ୍ୟାହତ ରହିଛି। ଆଇଏମ୍ଡି ପକ୍ଷରୁ ଆଗାମୀ ୫ ଦିନ ପାଇଁ ଯେଉଁ ପୂର୍ବାନୁମାନ କରାଯାଇଛି, ସେଥିରୁ ଏହା ସ୍ପଷ୍ଟ ହୁଏ। ଆକଳନ ଅନୁଯାୟୀ, ଆଗାମୀ ଦୁଇ ଦିନ, ଅର୍ଥାତ୍ ୧୫ ଓ ୧୬ ତାରିଖରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ଓ ସୁନ୍ଦରଗଡ଼ ସହରର ସର୍ବନିମ୍ନ ତାମପାତ୍ରା ୧୧ ଡିଗ୍ରି ରହିବ। ସେହିଭଳି ପରବର୍ତ୍ତୀ ତିନିଦିନ, ଅର୍ଥାତ୍ ୧୭, ୧୮ ଓ ୧୯ ତାରିଖରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରହିବ। ଏହାସହ ୧୭ ତାରିଖରେ ସୁନ୍ଦରଗଡ଼ର ତାପମାତ୍ରା ୧୧ ଡିଗ୍ରି ଏବଂ ୧୮ ଓ ୧୯ ତାରିଖରେ ୧୦ ଡିଗ୍ରି ରହିବ। ପାରଦ ଯେମିତି ଖସୁଛି, ସେହି ଅନୁପାତରେ ଶୀତକାଳୀନ ପୋଷାକର ଚାହିଦା ବଢ଼ିବାରେ ଲାଗିଛି ।