ବିଲ୍ ଅନୁମୋଦନ କରିବା ସମୟରେ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ସମୟସୀମା ମଧ୍ୟରେ ବନ୍ଧା ହୋଇପାରିବେ ନାହିଁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଦାୟର ସ୍ବତନ୍ତ୍ର ରେଫରେନ୍ସ ଉପରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ତାଙ୍କ ରାୟ ପ୍ରକାଶ କରିଛନ୍ତି। ବିଲ୍‌ ଅନୁମୋଦନ ନିମନ୍ତେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସମ୍ବିଧାନ ପ୍ରଦତ୍ତ ସ୍ବତନ୍ତ୍ର କ୍ଷମତା ସମ୍ପର୍କିତ କେତେକ ପ୍ରଶ୍ନ ଉପରେ ଉତ୍ତର ଲୋଡିବା ପୂର୍ବକ ରାଷ୍ଟ୍ରପତି ଏହି ସ୍ବତନ୍ତ୍ର ରେଫରେନ୍ସ ସୁପ୍ରିମକୋର୍ଟରେ ଦାୟର କରିଥିଲେ।

ଏହି ରେଫରେନ୍ସରେ ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ମୁଖ୍ୟ ପ୍ରଶ୍ନ ଥିଲା ସଂସଦ ଓ ବିଧାନସଭାରେ ଗୃହୀତ ବିଲ୍‌ ଉପରେ ଆବଶ୍ୟକ ନିଷ୍ପତ୍ତି ନିମନ୍ତେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ନିର୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇପାରିବ କି ନାହିଁ।

ଅର୍ଥାତ୍ ବିଧାନସଭାରେ ଗୃହୀତ ହୋଇଥିବା ଏକ ବିଲ୍‌ ଉପରେ ରାଜ୍ୟପାଳ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଷ୍ପତ୍ତି ନେବାକୁ ବାଧ୍ୟ କି ନାହିଁ? ରାଷ୍ଟ୍ରପତିଙ୍କ ଉକ୍ତ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟ ଉତ୍ତର ଦେବା ପୂର୍ବକ କହିଛନ୍ତି ଯେ ବିଧାନସଭାରେ ଗୃହୀତ ବିଲ୍‌ ଉପରେ ନିଷ୍ପତ୍ତି ନେବା ଲାଗି ରାଜ୍ୟପାଳଙ୍କ ପାଇଁ ଅଦାଲତ କୌଣସି ସମୟ ସୀମା ଧାର୍ଯ୍ୟ କରିପାରିବେ ନାହିଁ। ତେବେ ବିଧାନସଭାରେ ଗୃହୀତ ବିଲ୍‌ ଉପରେ ନିଜର ନିଷ୍ପତ୍ତି ପ୍ରଦାନ କ୍ଷେତ୍ରରେ ରାଜ୍ୟପାଳ ଅହେତୁକ ବିଳମ୍ବ କରିପାରିବେ ନାହିଁ। ଏକ ଉଚିତ୍ ବା ଯଥା ସମୟରେ ରାଜ୍ୟପାଳ ବିଲ୍‌ ଉପରେ ନିଷ୍ପତ୍ତି ନେବା ଜରୁରୀ। ଅନ୍ୟଥା ଏହା ଉପରେ ନ୍ୟାୟପାଳିକା ସମୀକ୍ଷା କରିବାକୁ ବାଧ୍ୟ ହେବେ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି।

ସାମ୍ବିଧାନିକ ପୀଠ ତାଙ୍କ ରାୟରେ ବିଲ୍ ଉପରେ ନିଷ୍ପତ୍ତି କ୍ଷେତ୍ରରେ ରାଜ୍ୟପାଳଙ୍କ ଲାଗି ତିନିଟି ସୁବିଧା ଦେଇଛନ୍ତି। ପ୍ରଥମତଃ ବିଲ୍‌କୁ ଅନୁମୋଦନ କରିବେ। ଦ୍ବିତୀୟତଃ ବିଲ୍‌ଟି ଯଦି ତ୍ରୁଟିପୂର୍ଣ୍ଣ ଥାଏ ତେବେ ଏହାକୁ ପୁନଃବିଚାର ନିମନ୍ତେ ବିଧାନସଭାକୁ ଫେରାଇ ଦେବେ। କିମ୍ବା ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେବେ। ବିଧାନସଭାରେ ଗୃହୀତ ବିଲ୍‌ ଉପରେ ଆବଶ୍ୟକ ନିଷ୍ପତ୍ତି ନେବା କ୍ଷେତ୍ରରେ ରାଜ୍ୟପାଳ ସମ୍ବିଧାନର ଧାରା ୨୦୦ ଓ ୨୦୧ ଅନୁଯାୟୀ ପଦକ୍ଷେପ ନେବା ଦରକାର।

ଯଦି ରାଜ୍ୟପାଳ ଏହି ଧାରାକୁ ଅନୁସରଣ ନ କରନ୍ତି ତେବେ ଏହା ଦେଶର ସଙ୍ଘୀୟ ଶାସନ ବ୍ୟବସ୍ଥାର ପରିପନ୍ଥୀ ହେବ। ଭାରତର ସଙ୍ଘୀୟ ଶାସନ ବ୍ୟବସ୍ଥା ଅନୁଯାୟୀ ନିର୍ବାଚିତ ବ୍ୟବସ୍ଥାପିକା ସଭା ସହିତ ରାଜ୍ୟପାଳ ଆଲୋଚନା କରିବା ଦରକାର। ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ୍ ନୁହେଁ। ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଅନୁମୋଦନ ବିନା କୌଣସି ବିଲ୍ ଆଇନରେ ପରିଣତ ହୋଇପାରିବ ନାହିଁ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟପାଳଙ୍କ ଅନୁମୋଦନ ବିନା କୌଣସି ବିଲ୍ ଆଇନର ରୂପ ନେଇପାରିବ ନାହିଁ।

Leave a comment