ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆପଡ଼ା ବିଧାନସଭାର ଉପନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜୟଙ୍କ ମାଆ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଅଛନ୍ତି।
ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନୂଆପଡ଼ାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ନୂଆପଡ଼ାବାସୀ ବିଜେପି ଉପରେ ଭରସା କରିଛନ୍ତି। ସେମାନେ ବିଜେପି ଉପରେ ବିଶ୍ବାସ ରଖିଛନ୍ତି। ନୂଆପଡ଼ାରେ ଏଥର ବିକାଶ ହେବ। ଆମ ସରକାର ୧୧୦୧ କୋଟି ଟଙ୍କାର ପ୍ରକଳ୍ପ ଲାଗି ଘୋଷଣା କରିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରି ବିଜେପିକୁ ବିପୁଳ ବିଜୟ ଆଣିଥିବାରୁ ସେମାନେଙ୍କ ପାଖରେ କୃତଜ୍ଞ। ମୁଁ ଆଶାବାଦୀ ଜୟ ଢୋଲକିଆଙ୍କ ନେତୃତ୍ବରେ ନୂଆପଡ଼ା ରାଜ୍ୟର ଏକ ନମ୍ବର ହେବ। ଜୟ ଢୋଲକିଆ ବିକାଶର ସାରଥୀ ହେବେ।
ନୂଆପଡ଼ାର ନୂଆ ନେତା ଭାବେ ବାଜି ମାରିଛନ୍ତି ଜୟ ଢୋଲକିଆ। ବିଜେଡି ଗଡ଼କୁ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି। ୧୧ ବର୍ଷ ପରେ ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି। ବିଜେପି ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆଜି ଭୋଟଗଣତି ବେଳେ ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ଆଗୁଆ ରହିଥିଲେ। ଶେଷ ପର୍ଯ୍ୟନ୍ତ ପ୍ରତିଟି ରାଉଣ୍ଡ୍ରେ ଭୋଟ ବ୍ୟବଧାନ ବଢ଼ିବଢ଼ି ଚାଲିଥିଲା। ପ୍ରଥମ ରାଉଣ୍ଡରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଉଲ୍ଲାସ ମଧ୍ୟାହ୍ନ ବେଳକୁ ବିଜୟ ଉତ୍ସବରେ ପରିବର୍ତ୍ତିତ ହୋଇ ସାରିଥିଲା। ନୂଆପଡ଼ା ବିଜେପି କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ଜୟଙ୍କ ବିଜୟ ଆନନ୍ଦରେ ମସଗୁଲ ହୋଇଥିଲେ।
ରାଜ୍ୟର ଅନ୍ୟତମ ପଛୁଆ ଅଞ୍ଚଳର ଏହି ବିଧାନସଭା ଆସନକୁ ୧୧ ବର୍ଷ ପରେ ବିଜେପି ନିଜ ଦଖଲକୁ ନେଇଛି। ବିଜେପି ପ୍ରାର୍ଥୀ ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ଘାସିରାମ ୪୦ ହଜାର ୧୨୧ଟି ଭୋଟ ପାଇଥିଲା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ଖଣ୍ଡ ଭୋଟ ପାଇଛନ୍ତି। ସବୁଠାରୁ ବଡ଼ କଥା ହେଲା, ବିଜେଡିର ଗଡ଼ କୁହାଯାଉଥିବା ଏହି ଆସନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନକୁ ଖସିଯାଇଛି। ଘାସିରାମ ମାଝୀ ଗତ ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପାଇଥିବା ଭୋଟ ତୁଳନାରେ ଏଥର କମ୍ ପାଇଥିଲେ ବି ଏଥର କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି। ଅନ୍ୟମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ ୪୮୯ ଭୋଟ, ଓଡ଼ିଶା ଜନତା ପାର୍ଟିର ଶୁକଧର ଦଣ୍ଡସେନା ୧୬୭ ଭୋଟ, ସ୍ବାଧୀନ ପ୍ରାର୍ଥୀ ଲୋଚନ ସିଂହ ମାଝୀ ୨୧୩୭ ଭୋଟ, ଲକ୍ଷ୍ମୀକାନ୍ତ ତାଣ୍ଡି ୧୩୨୨ ଭୋଟ, କିଶୋର ବାଗ ୭୪୩ ଭୋଟ, ଭୁବନଲାଲ ସାହୁ ୭୨୧ ଭୋଟ, ହେମନ୍ତ ତାଣ୍ଡି ୬୬୨ ଭୋଟ, ଚକ୍ରାନ୍ତ ଜେନା ୫୨୯ ଭୋଟ, ଭକ୍ତବନ୍ଧୁ ଧରୁଆ ୫୧୧ ଭୋଟ, ନୀତା ବାଗ ୫୨୯ ଭୋଟ ଏବଂ ଆଶ୍ରୟ ମହାନନ୍ଦ ୧୯୧ ଭୋଟ ପାଇଛନ୍ତି।
ନୂଆପଡ଼ାରେ ବିଜେପିର ଐତିହାସିକ ବିଜୟ ପରେ ପ୍ରାର୍ଥୀ ଜୟ ଢୋଲକିଆ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ଜୟଙ୍କର ବିଜୟ ଶୋଭାଯାତ୍ରା ଖରିଆର ରୋଡ୍ରୁ ବାହାରି ୧୦ କିଲୋମିଟର୍ ଯାତ୍ରା କରି ନୂଆପଡ଼ା ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ବିଜୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ନେତା ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ବିଜେପି ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ, ମାନସ ମହାନ୍ତି, ଅଭିନନ୍ଦନ ପଣ୍ଡା, ଲମ୍ବୋଦର ନିଆଲ, ସୋନିଆ ଜୈନ, ବାଳକୃଷ୍ଣ ଶବର, ଗୋଲ୍ଡି ଅଗ୍ରୱାଲ ଉପସ୍ଥିତ ଥିଲେ। ପରେ ହଜାର ହଜାର ବିଜେପି ନେତା ଓ କର୍ମୀ ବିଜୟ ଶୋଭାଯାତ୍ରାରେ ବାହାରି ନୂଆପଡ଼ା ସହର ପରିକ୍ରମା ପରେ ଏକତା ଛକରେ ସ୍ବର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଜୟ ଢୋଲକିଆଙ୍କ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମନ୍ତ୍ରୀ ଓ ବିଧାୟକମାନେ ଶୁଭେଚ୍ଛା ଜଣାଇଛନ୍ତି। ଏହା ନୂଆପଡ଼ା ବିଧାନସଭାକ୍ଷେତ୍ରର ଜନତାଙ୍କ ବିଜୟ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ବିଜୟୀ ହୋଇଥିଲେ। ଗତ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ। ରାଜେନ୍ଦ୍ରଙ୍କ ବିଜୟ ବ୍ୟବଧାନ ୧୦,୮୮୧ ଥିଲା। ତେବେ ପୁଅ ଜୟ ତାଙ୍କ ପ୍ରଥମ ପଦାର୍ପଣରେ ବଡ଼ ବ୍ୟବଧାନରେ ବିଜୟ ହାସଲ କରି ନୂଆପଡ଼ା ରାଜନୀତିରେ ରେକର୍ଡ ସ୍ଥାପନ କରିଛନ୍ତି।