ବିହାର ବିଧାନସଭାର ନିର୍ବାଚନ : ମହିଳା ମତଦାତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ

ବିହାର ବିଧାନସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି।  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଶେଷକରି ମହିଳା ଭୋଟରଙ୍କୁ ନିଜ ସପକ୍ଷକୁ ଟାଣି ସଫଳତା ଦୋହରାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ନଗଦ ଅର୍ଥରାଶି ପ୍ରଦାନ, ଶିକ୍ଷା ଓ ଅନ୍ୟ ସୁବିଧା ସମେତ ମଦ ବନ୍ଦ ଉପରେ ନୀତିଶ ଗୁରୁତ୍ୱ ଦେଉଥିବାବେଳେ ବିରୋଧୀ ପକ୍ଷ ଶେଷ ମୁହୂର୍ତ୍ତରେ ମଧ୍ୟ ମହିଳା ମତଦାତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି।
ମହିଳା ଭୋଟରଙ୍କ ମତଦାନ ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ରହିବା ଅନୁମାନ କରାଯାଉଛି। ବିହାରରେ ରାଜନୈତିକ ପରିବର୍ତ୍ତନର ପବନ ପ୍ରବାହିତ ହୋଇଛି ନା ନାହଁି, ମଙ୍ଗଳବାର ୧୨୨ ଆସନରେ ହେବାକୁ ଥିବା ମତଦାନରୁ ତାହା ଏକପ୍ରକାର ଠଉରାଇ ହେବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ମହିଳା ଭୋଟରଙ୍କ ଉପରେ ନିର୍ଭର କରେ ବୋଲି କୁହାଯାଉଛି। ବିହାରରେ ମୋଟ ୭.୪୩ କୋଟି ପଞ୍ଜୀକୃତ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ୩.୫ କୋଟି ଅର୍ଥାତ୍‌ ୪୭% ହେଉଛନ୍ତି ମହିଳା। ଗତ କିଛି ନିର୍ବାଚନରେ ଏମାନେ ବଡ଼ ଭୂମିକା ନେଇଆସିଛନ୍ତି। ୨୦୧୦ ପରଠାରୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ଅଧିକ ରହିଆସିଛି। ନଭେମ୍ବର ୬ରେ ରେକର୍ଡ ୬୫.୮% ମଦଦାନ ପଛରେ ମଧ୍ୟ ମହିଳାଙ୍କ ଯୋଗଦାନ ରହିଥିବା ରାଜନୈତିକ ବିଶ୍ଳେଷକ ଡ. ରବି କେ. ସିହ୍ନା କହିଛନ୍ତି।
ମାସେ ଧରି ଚାଲିଥିବା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହିଳାଙ୍କ ପାଇଁ କରାଯାଇଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଫୋକସ୍‌ କରିଥିଲେ। ତାଙ୍କ ସରକାର ନିକଟରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଅଧୀନରେ ୨ କୋଟିରୁ ଅଧିକ ମହିଳାଙ୍କୁ ୧୦,୦୦୦ ଟଙ୍କା ଲେଖାଏ ପ୍ରତ୍ୟକ୍ଷ ନଗଦ ସହାୟତା ଘୋଷଣା କରିଛନ୍ତି। ଏହାଦ୍ୱାରା ମହିଳାମାନେ ଆର୍ଥିକ ସ୍ବାବଲମ୍ବୀ ହେବା ସହ ପରିବାରରେ ସ୍ଥିରତା ଆଣିପାରିବେ ବୋଲି ନୀତିଶ ସରକାର ଆଶା କରିଛନ୍ତି। ଶାସକ ମେଣ୍ଟ ଆର୍‌ଜେଡିର ପୂର୍ବ ଶାସନ ଅମଳରେ ଚାଲିଥିବା ‘ଜଙ୍ଗଲରାଜ’ ପ୍ରସଙ୍ଗ ଉଠାଇ ବିରୋଧୀ ମହାମେଣ୍ଟକୁ ଟାର୍ଗେଟ କରୁଛି। ତେବେ ଏହାର ମୁକାବିଲା ପାଇଁ ବିରୋଧୀ ଦଳ ନେତା ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ ଜୀବିକା ଦିଦିଙ୍କ ଦରମା ବୃଦ୍ଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟଙ୍କ ଉନ୍ନତି ଏବଂ ମହିଳାଙ୍କ ପାଇଁ ଅନ୍ୟ କେତେକ ଯୋଜନାର ପ୍ରତିଶ୍ରୁତି ଦେଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ମଙ୍ଗଳବାର ଭୋଟ ଦେବାକୁ ଥିବା ୩.୭ କୋଟି ମତଦାତାଙ୍କ ମଧ୍ୟରୁ ୧.୭୪ କୋଟି ମହିଳା। ଏହି ଭୋଟରମାନେ ୧୨୨ ନିର୍ବାଚନମଣ୍ଡଳୀରେ ୧୩୬ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୧,୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଭାଜପା ୫୩ ଆସନରେ ଲଢ଼ୁଥିବାବେଳେ ଜେଡିୟୁ ୪୪, ଏଲ୍‌ଜେପି (ଆର୍‌ଭି) ୧୫, ଆର୍‌ଏଲ୍‌ଏମ୍‌ ୪, ଏଚ୍‌ଏମ୍‌ ୬ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ମହାମେଣ୍ଟର ଆର୍‌ଜେଡି ୭୨, କଂଗ୍ରେସ ୩୭, ଭିଆଇପି ୧୦ ଓ ଅନ୍ୟ ୫ ଆସନରେ ଲଢ଼ୁଛନ୍ତି।

 

Leave a comment