ଡବଲ ଇଞ୍ଜିନ ସରକାର ଡବଳ ବିକାଶ କରିବ ବୋଲି କହିଥିଲା, କିନ୍ତୁ ଲୋକଙ୍କୁ ଡବଲ ଧୋକା ଦେଇଛି – ନବୀନ

ବିଜେପି ସରକାର ମିଥ୍ୟା ପ୍ରଚାର କରୁଛି। ଡବଲ ଇଞ୍ଜିନ ସରକାର ଡବଳ ବିକାଶ କରିବ ବୋଲି କହିଥିଲା, କିନ୍ତୁ ଲୋକଙ୍କୁ ଡବଲ ଧୋକା ଦେଇଛି। ନୂଆପଡ଼ା ଉପନିର୍ବାଚନ ପାଇଁ ଶୁକ୍ରବାର ନିର୍ବଚାନୀ ପ୍ରଚାର ବେଳେ ଏଭଳି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପ୍ରଚାର ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି, କେବଳ ରଙ୍ଗ ମାରିଲେ ବିକାଶ ହୁଏ ନାହିଁ। ୫୦୦ ଦିନର ସରକାର ଲୋକଙ୍କୁ କେବଳ ଧୋକା ଦେଇଛି। କେବଳ ଧୋକା ଧୋକା, ଡବଲ ଧୋକା। ରାଜ୍ୟରେ ସାର ଅଭାବକୁ ନେଇ ମଧ୍ୟ ନବୀନ ପ୍ରଶ୍ନ ଉଠାଇଛନ୍ତି। ମଣ୍ଡି ଅବ୍ୟବସ୍ଥା, କଟନିଛଟନିକୁ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାର ଭୋଟ ଚୋରି କରିପାରନ୍ତି, ଲୋକଙ୍କ ହୃଦୟ ନୁହେଁ।

ନବୀନ ଆହୁରି କହିଥିଲେ, କ୍ଷମତାକୁ ଆସିବା ଆଗରୁ ବିଜେପି ମାଗଣା ୩୦୦ ୟୁନିଟ ବିଦ୍ୟୁତ ଦେବ ବୋଲି କହିଥିଲା। ତାହା ମିଳିଲା କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେହିପରି ୩୫୦୦ ଟଙ୍କା ପେନସନ ମିଳିଲା କି ? ଚାଷୀମାନଙ୍କୁ ୟୁରିଆ ସାର ମିଳିଲା କି ? ଯୁବକମାନଙ୍କୁ ଚାକିରି ମିଳିଲା କି? ମିଶନଶକ୍ତି ମା’ ମାନଙ୍କୁ ଋଣ ମିଳିଲା କି ? ଆମ ବିଏସକେଓ୍ବାଇ କାର୍ଡରେ ଭଲ ସ୍ଵାସ୍ଥ୍ୟସେବା ମିଳୁଥିଲା। ବର୍ତ୍ତମାନର ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି। ବିଜେପି ସରକାରର ଧୋକାର ଜବାବ ଭୋଟରେ ଦେବାକୁ ସେ ନୂଆପଡ଼ାବାସୀଙ୍କୁ ନିବେଦନ କରିଛନ୍ତି। ବିଜେଡି କଥା ନୁହେଁ, କାମରେ ବିଶ୍ଵାସ କରେ।

ନବୀନ କହିଥିଲେ, ବିଜୁ ବାବୁ ନୂଆପଡ଼ା ଜିଲା ଗଢ଼ିଥିଲେ। ରାଜୁ ଭାଇଙ୍କୁ ମୋ କ୍ୟାବିନେଟରେ ମନ୍ତ୍ରୀ କରିଥିଲି। ନୂଆପଡ଼ାବାସୀ ସମସ୍ତ ପ୍ରକାର ସହଯୋଗ କରିଆସିଛନ୍ତି। ଆମ ସରକାରରେ ନୂଆପଡ଼ାରେ ସବୁକ୍ଷେତ୍ରରେ ବିକାଶ ହୋଇଛି। ଏବେ ବିକାଶ ପୂରା ଠପ। ମିଛ ପ୍ରଚାରରେ ବିକାଶ ହୁଏନି ବୋଲି ନବୀନ କହିଥିଲେ।

Leave a comment