ଓପିଜିସିର ୩୪୫୨ କୋଟି ଟଙ୍କା କ୍ଷତି
ଝାରସୁଗୁଡା ଜିଲ୍ଲାର ବନହରିପାଲିରେ ଥିବା ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍(ଓପିଜିସି) ୩୪୫୨ କୋଟି ଟଙ୍କା କ୍ଷତି ସହିଛି। ପରିଚାଳନା ଓ ରକ୍ଷଣାବେକ୍ଷଣ ତ୍ରୁଟି ପାଇଁ ୨୦୨୦ ଏପ୍ରିଲ୍ରୁ ୨୦୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୬୬ ମାସରେ ୯୮୬୪ ନିୟୁତ ୟୁନିଟ୍ ଉତ୍ପାଦନ କ୍ଷତି ହୋଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ଧାର୍ଯ୍ୟ କରିଥିବା ମାନଦଣ୍ଡ ଅନୁସାରେ କମ୍ପାନିର ୪୨୦ ମେଗାୱାଟ୍ର ପୁରୁଣା ଶକ୍ତି କେନ୍ଦ୍ର ବର୍ଷକୁ ସ୍ଥାପିତ କ୍ଷମତାର ୮୩%, ଦ୍ୱିତୀୟ ପର୍ଯ୍ୟାୟର ୧୩୨୦ ମେଗାୱାଟ୍ର ନୂଆ ଶକ୍ତିକେନ୍ଦ୍ର ୮୫% ବିଦ୍ୟୁତ୍ ଉତ୍ପାଦନ କରିବ।
ଓପିଜିସି ତଥ୍ୟ ଅନୁସାରେ ପୁରୁଣା ଶକ୍ତି କେନ୍ଦ୍ର ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ବାର୍ଷିକ ୩ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଉତ୍ପାଦନ କ୍ଷତି ସହିଛି। ଚଳିତ ବର୍ଷର ପ୍ରଥମ ୬ ମାସରେ ହାରାହାରି ୮୫% ବିଦ୍ୟୁତ୍ ଉତ୍ପାଦନ କରି ୨% ଲାଭ କରିଛି। ପୁରୁଣା ଶକ୍ତି କେନ୍ଦ୍ରଟି ଏପ୍ରିଲ୨୦୨୦ରୁ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ୬୬ ମାସରେ ଧାର୍ଯ୍ୟ ମାନଦଣ୍ଡ ଠାରୁ ୧୬୭୧ ନିୟୁତ ୟୁନିଟ୍ କମ୍ ଉତ୍ପାଦନ କରି ୟୁନିଟ୍ ପିଛା ୩ ଟଙ୍କା ୫୦ ପଇସା ହିସାବରେ ୫୮୫ କୋଟି ଟଙ୍କା ରାଜସ୍ୱ କ୍ଷତି କରିଛି। ସେହିପରି ନୂତନ ଶକ୍ତି କେନ୍ଦ୍ର ଏହି ସମୟରେ ୩୪ ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ସହିଥିବା ବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୭୬% ଉତ୍ପାଦନ କରି ୯% କ୍ଷତି ସହିଛି। ନୂତନ ଶକ୍ତି କେନ୍ଦ୍ରଟି ଗତ ୬୬ ମାସରେ ୮୧୯୨ ନିୟୁତ ୟୁନିଟ୍ ଉତ୍ପାଦନ କ୍ଷତି ସହି ୨୮୬୭ କୋଟି ଟଙ୍କା ରାଜସ୍ୱ ହରାଇଛି। ଉଭୟ ପୁରୁଣା ଓ ନୂଆ ଶକ୍ତି କେନ୍ଦ୍ର ଗତ ୬୬ ମାସରେ ୯୮୬୪ ନିୟୁତ ୟୁନିଟ ଉତ୍ପାଦନ କ୍ଷତି କରି ୩୪୫୨ କୋଟି ଟଙ୍କା ରାଜସ୍ୱ ହରାଇଛି। ପ୍ଳାଣ୍ଟର ସୁରକ୍ଷା ଓ ସ୍ଥାୟିତ୍ୱ ପାଇଁ ପ୍ରତି ବର୍ଷ ୧ମାସ ପ୍ଳାଣ୍ଟ ବନ୍ଦ କରି ସାଧାରଣ ମରାମତି କାର୍ଯ୍ୟ କରାଯାଉ ଥିବା ବେଳେ ପ୍ରମୁଖ ମରାମତି କାର୍ଯ୍ୟ ପାଇଁ ପ୍ରତି ୪ ବର୍ଷରେ ଥରେ ୧ ମାସ ପାଇଁ ବନ୍ଦ କରାଯାଉଛି।
ପୁରୁଣା ଶକ୍ତି କେନ୍ଦ୍ର ଆଲୋଚ୍ୟ ପାଞ୍ଚ ବର୍ଷରେ ୮୦ ଥର ବନ୍ଦ ହୋଇଛି। ସେହିପରି ୨୦୨୪-୨୫ରେ ୧୮ ଥର ବନ୍ଦ ହୋଇଥିଲା। ଚଳିତ ବର୍ଷର ପ୍ରଥମ ୬ମାସରେ ପୁରୁଣା ଶକ୍ତି କେନ୍ଦ୍ର ୧୨ ଥର ବନ୍ଦ ହୋଇଥିବାବେଳେ ନୂତନ ଶକ୍ତି କେନ୍ଦ୍ର ୧୪ ଥର ବନ୍ଦ ହୋଇଛି। ଏ ସମ୍ପର୍କରେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଆଶଙ୍କା ବ୍ୟକ୍ତ କରି କହିଛନ୍ତି ଯେ ପ୍ଳାଣ୍ଟ୍ ବାରମ୍ବାର ବନ୍ଦ ହେବା ଦ୍ୱାରା ଉତ୍ପାଦନ ଓ ରାଜସ୍ୱ କ୍ଷତି ହେବା ଫଳରେ ଗ୍ରିଡ୍କୋ ଅଧିକ ମୂଲ୍ୟରେ ଏନଟିପିସିଠାରୁ ବିଦ୍ୟୁତ୍ କ୍ରୟ କରୁଛି। ଅପର ପକ୍ଷରେ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତା ଅଧିକ ମୂଲ୍ୟରେ ବିଦ୍ୟୁତ୍ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି।