ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ

ଓଡ଼ିଶା ପାଇଁ ଟଳିଗଲା ବିପଦ। ଏପରିକି ଆନ୍ଧ୍ରପ୍ରଦେଶରେ ମଧ୍ୟ ସାମୁଦ୍ରିକ ଝଡ଼ ‘ମନ୍ଥା’ର ସେଭଳି ଗୁରୁତର ପ୍ରଭାବ ଦେଖିବାକୁ ମିଳିନାହିଁ। ବାତ୍ୟାର ଆଖି ନଥିବାରୁ ବଙ୍ଗୋପସାଗରରେ ସୃଷ୍ଟ ‘ମନ୍ଥା’ ଶେଷରେ ତାର ଗତିପଥ ବଦଳାଇ ଆନ୍ଧ୍ରପ୍ରଦେଶର କାକିନାଡ଼ା ପରିବର୍ତ୍ତେ ଅମଲାପୁରମ୍‌ ଠାରୁ ୪୫କି.ମି. ଦୂର ନରସାପୁରରେ ସ୍ଥଳଭାଗ ଛୁଇଁଥିଲା। ତେବେ ସନ୍ଧ୍ୟା ୭ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ଥଳଭାଗ ଅତିକ୍ରମ ସମୟରେ ନରସାପୁରରେ ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦ କି.ମି. ବହିଥିଲା। ଝଟ୍‌କା ଘଣ୍ଟାପ୍ରତି ୧୧୦ କିମି ରହିଥିଲା। ଏହି ସମୟରେ ଆନ୍ଧ୍ରର ଉଲାଭାପାଡୁରେ ୧୬୭ ମି.ମି., କାଭାଲିରେ ୧୬୦ମି.ମି ଏବଂ ଦାଗଦର୍ଥୀରେ ୧୪୭ମି.ମି. ବର୍ଷା ହୋଇଥିଲା। ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ତେବେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି। ଏହା ମାଲକାନଗିରି ସୀମା ଛୁଇଁ ଛତିଶଗଡ଼ ମୁହଁାଇଥିବା ଜଣାପଡ଼ିଛି। ସ୍ଥଳଭାଗରେ ଏହାର ବେଗ ଘଣ୍ଟା ପ୍ରତି ୩୦କି.ମି. ରହିଥିଲା। ଦକ୍ଷିଣ ଓଡ଼ିଶାରେ କେବଳ ବର୍ଷା ସହ ୪୦ରୁ ୫୦କି.ମି. ବେଗରେ ପବନ ବହିଥିଲା। ଏହା ମାଲକାନଗିରି ସୀମାନ୍ତ ଅଞ୍ଚଳକୁ ଛୁଇଁ ଛତିଶଗଡ଼ ମୁହଁାଉଥିବା ଜଣାପଡ଼ିଛି।

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ଗଜପତି ଜିଲା ଅଧିକ ପ୍ରଭାବିତ ହୋଇଛି। ଜିଲାର ଆର. ଉଦୟଗିରି, ପାରଳାଖେମୁଣ୍ଡି, କାଶୀନଗର ଏବଂ ଗୁମ୍ମାରେ ଭୂସ୍ଖଳନ ହୋଇଛି। ‘ମନ୍ଥା’ ପ୍ରଭାବରେ ମାଲକାନଗିରି ଏବଂ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। କେଉଁଠି ଘର ଉପରେ ଗଛ ପଡ଼ିଛି ତ ଆଉ କେଉଁଠି ସ୍କୁଲ ଛାତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲାର ପାତ୍ରପୁରରେ ସର୍ବାଧିକ ୧୧୭.୬ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ସାନଖେମୁଣ୍ଡିରେ ୯୦ମି.ମି. ବର୍ଷା ହୋଇଥିଲା। ସେହିପରି ଗଜପତି ଜିଲାର ଗୋସାଣିରେ ୧୧୫, ମୋହନାରେ ୧୧୨.୮ ଏବଂ ଆର. ଉଦୟଗିରିରେ ୮୭ମି.ମି. ବର୍ଷା ହୋଇଥିଲା।

ମଙ୍ଗଳବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଚାନ୍ଦବାଲିରେ ୫୧.୭ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ଦାରିଙ୍ଗବାଡ଼ି ୫୧, ଯାଜପୁର ୪୨.୪, ଭଦ୍ରକ ୩୭, କୋରାପୁଟ ୩୬, ପାରଳାଖେମୁଣ୍ଡି ୩୪.୪, ଭୁବନେଶ୍ବର ୧୭.୧ ଏବଂ କଟକରେ ୧୩.୬ମି.ମି. ବର୍ଷା ହୋଇଥିଲା।

ଗଜପତି ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ଗଛ ପଡ଼ିଥିବା ନେଇ ୨୨ଟି ସୂଚନା ଆସିଥିଲା। ଗଛ ପଡ଼ିବା ସଙ୍ଗେ ସଙ୍ଗେ ମାଟି ଅତଡ଼ା ମଧ୍ୟ ଖସିଥିଲା। ଆର. ଉଦୟଗିରି, କାଶିନଗର, ଅନାଗାଁଠାରୁ ଆରମ୍ଭ କରି ଗୁମ୍ମା ପର୍ଯ୍ୟନ୍ତ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା। ଗଞ୍ଜାମ ଜିଲାର ଚିକିଟି, ପାଟପୁରରେ ପ୍ରବଳ ବର୍ଷା ଲାଗି ରହିଥିଲା। ପୁରୀ ସହରରେ ପାଣି ପ୍ରବେଶ କରିଥିଲା। ଏସବୁ ସ୍ଥାନରେ ଅଗ୍ନିଶମ, ଏନଡିଆରଏଫ ଏବଂ ଓଡ୍ରାଫ ଦଳ ପହଞ୍ଚିଥିଲା। ‘ମନ୍ଥା’ ମୁକାବିଲା ପାଇଁ ଏସଆରସି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିଲା। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜୀବ ଭବନରେ ପହଞ୍ଚି ନିୟନ୍ତ୍ରଣ କକ୍ଷ ବୁଲି ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ।

ଭୁବନେଶ୍ବରର ୮ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ପ୍ରସ୍ତୁତି କରାଯାଇଛି। ୨୪ ଘଣ୍ଟିଆ ହେଲ୍‌ପଲାଇନ୍‌ ଖୋଲା ଯାଇଛି। ସମୁଦାୟ ୨୮ଟି କଲ୍‌ ଆସିଥିବାବେଳେ ୨୨ଟି ସ୍ଥାନରେ କାମ ଶେଷ ସହ ଅନ୍ୟ ସ୍ଥାନରେ ଟିମ୍‌ କାମ କରୁଛି। ବାତ୍ୟା ‘ମନ୍ଥା’ର ପ୍ରଭାବରେ ବର୍ଷା ଯୋଗୁଁ ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତରେ ରାସ୍ତା କଡ଼ ପାହାଡ଼ରୁ ବିରାଟ ପଥର ଖସି ପଡ଼ିଛି। ଫଳରେ ବଡ଼ଗାଁ ରାସ୍ତା ଅବରୋଧ ହୋଇଥିଲା। ଯେଉଁଥିପାଇଁ ଯାତାୟାତ ବନ୍ଦ ହୋଇଯାଇଛି। ବାତ୍ୟା ପାଇଁ ପୁରୀ ବେଳାଭୂମିରୁ ପର୍ଯ୍ୟଟକଙ୍କୁ ଖାଲି କରିଛି ପୁଲିସ ପ୍ରଶାସନ। ରାୟଗଡ଼ାରେ ଲଗାଣ ବର୍ଷାରେ ଘର ଭାଙ୍ଗିଛି। ଗୁଣପୁର, ଗୁଡ଼ାରୀ ଓ ରାମନାଗୁଡ଼ା ଅଞ୍ଚଳରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି।

ମନ୍ଥା ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡ଼ିକରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ଏବଂ ଘଣ୍ଟା ପ୍ରତି ୬୦ରୁ ୭୦କି.ମି. ଏବଂ ଝଟକା ପବନର ବେଗ ଘଣ୍ଟା ପ୍ରତି ୮୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହିସବୁ ଜିଲା ଗୁଡ଼ିକରେ ଘଣ୍ଟା ପ୍ରତି ୫୦ରୁ ୬୦କି.ମି. ଏବଂ ଝଟ୍‌କା ପବନର ବେଗ ଘଣ୍ଟା ପ୍ରତି ୭୦କି.ମି. ଛୁଇଁପାରେ। ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବୌଦ୍ଧ, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହିସବୁ ଜିଲା ଗୁଡ଼ିକରେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି।

Leave a comment