ଶୀତକାଳୀନ ଅଲିମ୍ପିକ୍ସ ୨୦୨୬ କ୍ରୀଡ଼ାରେ ମଶାଲ ଧରିବେ ଅଭିନବ ବିନ୍ଦ୍ରା

ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ଆସନ୍ତା ବର୍ଷ ହେବାକୁ ଥବା ଶୀତକାଳୀନ କ୍ରୀଡ଼ାରେ ମଶାଲଧାରକ ଭାବେ ଚୟନ କରାଯାଇଛି। ଶୀତକାଳୀନ ଅଲିମ୍ପିକ୍ସ ୨୦୨୬ ଆସନ୍ତା ବର୍ଷ ଫେବ୍ରୁଆରି ୬ରୁ ୨୨ ପର୍ଯ୍ୟନ୍ତ ଇଟାଲିର ମିଲାନ ଓ କୋର୍ଟିନା ଡି’ ଆମ୍ପେଜୋରେ ଅନୁଷ୍ଠିତ ହେବ। ଏହି ସୁଯୋଗ ମିଳିଥିବାରୁ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ଜିତିଥିବା ବିନ୍ଦ୍ରା ଖୁସି ବ୍ୟକ୍ତ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ‘‘ମିଲାନୋ କୋର୍ଟିନା ୨୦୨୬ ଅଲିମ୍ପିକ୍ସ ମଶାଲ ରିଲେ ପାଇଁ ମଶାଲଧାରକ ଭାବେ ମନୋନୀତ ହୋଇଥିବାରୁ ମୁଁ ବହୁତ ଖୁସି।

ସ୍ବପ୍ନ, ଦୃଢ଼ତା, କ୍ରୀଡ଼ା ଓ ବିଶ୍ବ ଏକତାର ପ୍ରତୀକ ଅଲିମ୍ପିକ୍ସ ଅଗ୍ନୀ ମୋ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହାକୁ ପୁଣି ଥରେ ବହନ କରିବା ଏକ ବଡ଼ ସମ୍ମାନ। ଏହି ଅବିଶ୍ୱସନୀୟ ସମ୍ମାନ ପାଇଁ ମିଲାନୋ କୋର୍ଟିନା ୨୦୨୬ ଆୟୋଜକଙ୍କୁ ଧନ୍ୟବାଦ’’। ଚତୁର୍ଥ ଥର ଲାଗି ଶୀତକାଳୀନ ଅଲିମ୍ପିକ୍ସ ଇଟାଲିରେ ଆୟୋଜିତ ହେଉଛି। ଏହି ସଂସ୍କରଣରେ ୧୬ଟି କ୍ରୀଡ଼ା ଶୃଙ୍ଖଳାରେ ୧୧୬ ପଦକ ଇଭେଣ୍ଟ୍‌ ରହିଛି। ୨୦୨୨ ବେଜିଂ ଅଲିମ୍ପିକ୍ସଠୁ ଏଥର ୭ଟି ‌ଇଭେଣ୍ଟ୍‌ ଓ ଗୋଟିଏ କ୍ରୀଡ଼ା ଶୃଙ୍ଖଳା ଅଧିକ ରହିଛି।

Leave a comment