ଅସ୍ତ୍ରବିରତି ଘୋଷଣା କଲେ ପାକିସ୍ତାନ ଓ ଆଫଗାନିସ୍ତାନ
ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଭୀଷଣ ସଂଘର୍ଷ ପରେ ଉଭୟ ରାଷ୍ଟ୍ର ଆଜି କତର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନା ଆରମ୍ଭ କରିଛନ୍ତି। ଆଲୋଚନାର ପ୍ରଥମ ପର୍ଯ୍ୟାୟରେ ଅସ୍ତ୍ରବିରତି ସମୟସୀମା ବଢ଼ାଇବାକୁ ସହମତି ପ୍ରକାଶ ପାଇଛି। ସୀମାନ୍ତରେ ଲାଗିରହିଥିବା ତିକ୍ତତା ଓ ସଂଘର୍ଷର ସମାଧାନ ପାଇଁଆଫଗାନିସ୍ତାନ ଓ ପାକିସ୍ତାନର ଶୀର୍ଷ ଅଧିକାରୀମାନେ ଏବେ ଦୋହାରେ ଅଛନ୍ତି ଏବଂ ଏହି ଆଲୋଚନା ଆସନ୍ତାକାଲି ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି। ୨୦୨୧ରେ ତାଲିବାନ କାବୁଲକୁ ଦଖଲ କରିବା ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଏବେ ସବୁଠାରୁ ଭୟଙ୍କର ସୀମା ସଂଘର୍ଷ ଚାଲିଛି। କତର ଓ ସାଉଦି ଆରବର ମଧ୍ୟସ୍ଥତାରେ ଏହି ଶାନ୍ତି ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ଅକ୍ଟୋବର ୧୫-୧୬ରେ ପାକ୍-ଆଫଗାନ ସୀମାନ୍ତ ଜିଲ୍ଲାଗୁଡ଼ିକରେ ତୀବ୍ର ସଂଘର୍ଷ ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷରେ ବହୁ ସୈନିକ ଓ ସାଧାରଣ ନାଗରିକଙ୍କ ମୃତାହତ ହୋଇଥିବା ଖବର ମିଳିଥିଲା। ଏହାପରେ ଆନ୍ତର୍ଜାତିକ ମଧ୍ୟସ୍ଥତା ପରେ ଏକ ୪୮ ଘଣ୍ଟିଆ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା। ତେବେ ଗତକାଲି ସନ୍ଧ୍ୟାରେ ପାକିସ୍ତାନ ଆଫଗାନିସ୍ତାନର ପାକ୍ତିକା ପ୍ରଦେଶର ତିନୋଟି ସ୍ଥାନରେ ଏୟାର୍ ଷ୍ଟ୍ରାଇକ କରି ଏହି ଅସ୍ତ୍ରବିରତିର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏହି ଆକ୍ରମଣରେ ଅତିକମରେ ୧୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ତାଲିବାନ ଏହି ଆକ୍ରମଣକୁ ନିନ୍ଦା କରିଥିଲେ ମଧ୍ୟ ଦୋହା ଆଲୋଚନା ପ୍ରକ୍ରିୟାକୁ ସମ୍ମାନ ଦେବା ପାଇଁ ନିଜ ସୈନ୍ୟବାହିନୀକୁ ପ୍ରତିଶୋଧ ନ ନେବାକୁ ନିର୍ଦ୍ଦେଶ ଦେଇଛି। ଆଜି ଦୋହା ଆଲୋଚନାରେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ମହମ୍ମଦ ୟାକୁବ ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ନେତୃତ୍ୱ ନେଇଥିଲେ। ପୂର୍ବରୁ ଯେଉଁ ୪୮ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, ତାହାକୁ ଆଜି ବଢ଼ାଇ ଦିଆଯାଇଛି ଏବଂ ବୈଠକରୁ କୌଣସି ନିଷ୍କର୍ଷ ବାହାରିବା ପର୍ଯ୍ୟନ୍ତ ଅସ୍ତ୍ରବିରତି ଜାରି ରହିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଦୋହା ଆଲୋଚନାର ଫଳାଫଳ ଦୁଇ ଦେଶ ମଧ୍ୟରେ ଆଗାମୀ ଦିନର ସମ୍ପର୍କକୁ ନିର୍ଦ୍ଧାରଣ କରି