ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ଶୃଙ୍ଖଳା

ଚାମ୍ପିଅନ୍ସ ଟ୍ରଫି ବିଜୟ ପରର ଲମ୍ବା ବ୍ୟବଧାନ ପରେ ଦୁଇ ମହାନ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ। ଉଭୟଙ୍କ ୨୦୨୭ ବିଶ୍ବକପ୍ ଖେଳିବା ନେଇ ଲାଗି ରହିଛି ଅଙ୍କକଷା। ଶୁବମନ୍ ଗିଲ୍‌ଙ୍କ ନେତୃତ୍ବରେ ଭାରତର ପ୍ରଥମ ଦିନିକିଆ ଶୃଙ୍ଖଳା ଏବଂ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତି। ଏସବୁ ମଜାଦାର ସମୀକରଣ ଭିତରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ଶୃଙ୍ଖଳା। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଲଢ଼େଇ ରବିବାର ସକାଳେ ପର୍ଥର ଅପଟସ୍ ଷ୍ଟାଡିୟମ୍‌ରେ ହେବ। ଯାହାକୁ ନେଇ ଦୁଇ ଦେଶର ପ୍ରଶଂସକ ବେଶ୍ ଉଲ୍ଲସିତ ଓ ଉତ୍ସାହିତ ଅଛନ୍ତି।

ଏହି ଶୃଙ୍ଖଳାକୁ‌ ନେଇ ଯେତିକି ଚର୍ଚ୍ଚା ହେଉନି, ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ଗିଲ୍‌ଙ୍କ ଅଧୀନରେ ରୋହିତ, କୋହଲି ଖେଳିବା। ‘ରୋକୋ’ ଭାବେ ପରିଚିତ ଏହି ଦୁଇ କିଂବଦନ୍ତି ତାରକା ୭ମାସ ପରେ କ୍ରିକେଟ୍‌କୁ ଫେରୁଥିଲା ବେଳେ ସେମାନଙ୍କୁ ନେଇ ହେଉଥିବା ଚର୍ଚ୍ଚା ବିଷୟରେ ଭଲ ଭାବରେ ଅବଗତ। ପୁଣି ଏହି ଶୃଙ୍ଖଳା ମଧ୍ୟ ସେମାନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଭବିଷ୍ୟତକୁ ନିର୍ଦ୍ଧାରଣ କରିବାକୁ ଯାଉଛି। ‌ଉଭୟ କିନ୍ତୁ ଅଷ୍ଟ୍ରେଲିଆରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି। ସେଥିପାଇଁ ପ୍ରଶଂସକ ସେମାନଙ୍କଠାରୁ ବଡ଼ ପାଳି ଆଶାରେ ରହିଛନ୍ତି। କୋହଲି, ରୋହିତ ମଧ୍ୟ ନିଜନିଜ ଶ୍ରେଷ୍ଠତ୍ବ ପ୍ରତିପାଦନ କରିବାକୁ ବ୍ୟଗ୍ର ଥିବା ନିଜ ଶାରୀରିକ ଭାଷା ଏବଂ ଜୋରଦାର ପ୍ରସ୍ତୁତିରୁ ଆଭାସ ଦେଇଛନ୍ତି। ସେହିଭଳି ଟେଷ୍ଟ୍ କ୍ରିକେଟ୍‌ରେ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥିବା ଗିଲ୍‌ଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ନୂଆ ପରୀକ୍ଷା ନେଇ ଆସିଛି। ସୀମିତ ଓଭର କ୍ରିକେଟ୍‌ର ଆଗଧାଡ଼ିରେ ରହି ଭାରତୀୟ ଦଳରେ ଥିବା ଏକାଧିକ ତାରକାଙ୍କୁ ସେ କିଭଳି ପରିଚାଳନା କରୁଛନ୍ତି? ତାହା ମଧ୍ୟ ଲକ୍ଷେ ଟଙ୍କାର ପ୍ରଶ୍ନ ହୋଇଛି। ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ ଏହି ଶୃଙ୍ଖଳାକୁ ୨୦୨୭ ବିଶ୍ବକପ୍ ଲାଗି ପ୍ରସ୍ତୁତି ପର୍ବର ପ୍ରଥମ ଅଧ୍ୟାୟ ଭାବେ ନେବ ବୋଲି ସଙ୍କେତ ଦେଇଛି। ଦଳରେ କିଛି ନବାଗତ ଓ ଅଣଅନ୍ତର୍ଜାତୀୟ‌ ଖେଳାଳି ନେଇ ଭବିଷ୍ୟତ ଯୋଜନାକୁ ସଫଳ ରୂପାୟନ ଓ ଆକାର ଦେବାକୁ ଲକ୍ଷ୍ୟ ରଖିଛି। ଆହତ କମିନ୍ସଙ୍କ ଅନୁପସ୍ଥିତି,  ଜୋସ୍ ଇଂଗ୍ଲିସ୍ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିବା, ସ୍ପିନର୍ ଆଡାମ ଜାମ୍ପା ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ପ୍ରଥମ ଦୁଇ ଦିନିକିଆରୁ ଦୂରେଇ ରହିବା ଏବଂ ଆଲେକ୍ସ କ୍ୟାରି ପ୍ରଥମ ଦିନିକିଆରେ ଖେଳିବା ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ପାଇଁ ଏହି ଶୃଙ୍ଖଳା ମଧ୍ୟ ଘରୋଇ ଅଷ୍ଟ୍ରେଲିଆ ପାଇଁ ନୂଆ ଆହ୍ବାନ ନେଇ ଆସିବ। ପୂରା ଦିନିକିଆ ଶୃଙ୍ଖଳା ସହ ଭାରତ-ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଟିକେଟ୍ ବିକ୍ରି ପ୍ରାୟ ସରିଛି। ଅପଟ୍‌ସ ଷ୍ଟାଡିୟମ୍‌ରେ ରବିବାର ୫୦,୦୦୦ରୁ ଅଧିକ ଦର୍ଶକ ଉପସ୍ଥିତ ରହିବା ସମ୍ଭାବନା ରହିଛି। ଏହି ନବନିର୍ମିତ ଷ୍ଟାଡିୟମ୍‌ର ଛୋଟିଆ ଇତିହାସରେ ମାତ୍ର ଦୁଇ ଥର ଦର୍ଶକ ସଂଖ୍ୟା ୫୦,୦୦୦ ଛୁଇଁଥିବାରୁ ରବିବାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି।

Leave a comment