ଗାଜରେ ଶାନ୍ତିର ସୂର୍ଯ୍ୟାେଦୟ, ଯୁଦ୍ଧ ବନ୍ଦ ହେବ ?
ଶେଷରେ ଶାନ୍ତ ପଡ଼ିଲା ଗାଜା । ଆମେରିକାର ହସ୍ତକ୍ଷେପ ପରେ ଶାନ୍ତି ପ୍ରତିଷ୍ଠାର ବାଟ ଫିଟିଛି । ଏ ଅବସରରେ ଗାଜା ଶାନ୍ତି ସମ୍ମିଳନୀକୁ ସମ୍ବୋଧିତ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଏହା ମଧ୍ୟ-ପ୍ରାଚ୍ୟ ବାହାରେ ବିଶ୍ୱ ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଶାନ୍ତି ପ୍ରତିଷ୍ଠାକୁ ଗାଜାବାସୀଙ୍କୁ ସମର୍ଥନ କରିବା ନିହାତି ଆବଶ୍ୟକ । ଅତୀତରେ ହୋଇଥିବା ରକ୍ତପାତ, ଘୃଣା କିମ୍ବା ଆତଙ୍କବାଦ ସହିତ ଜଡିତ ସମସ୍ତ ଜିନିଷକୁ ଭୁଲି ସମସ୍ତେ ଆଗକୁ ବଢିବା ଦରକାର ।
ଗାଜାର ପୁନର୍ଗଠନ ପାଇଁ ଏହାକୁ ସୈନ୍ୟମୁକ୍ତ କରିବା ଆବଶ୍ୟକ । ଗାଜାବାସୀଙ୍କ ପାଇଁ ଏକ ସୁରକ୍ଷିତ ପରିସ୍ଥିତି ସୃଷ୍ଟି କରିବା ପାଇଁ ପୋଲିସ୍ ବାହିନୀକୁ ଅନୁମତି ଦିଆଯିବା ଆବଶ୍ୟକ । ଗାଜାର ଏକ ଉନ୍ନତ ଭବିଷ୍ୟତ ସୁରକ୍ଷିତ କରିବା ଜଣେ ଅଂଶୀଦାର ହେବାକୁ ଇଚ୍ଛା କରୁଛି ବୋଲି ଟ୍ରମ୍ପ କହିଛନ୍ତି । ଆମେ ତୃତୀୟ ବିଶ୍ବଯୁଦ୍ଧ ହେବାକୁ ଦେବା ନାହିଁ କିମ୍ବା ଏହା ମଧ୍ୟ-ପ୍ରାଚ୍ୟରୁ ଆରମ୍ଭ ହେବ ନାହିଁ ବୋଲି ଏ ଅବସରରେ କହିଛନ୍ତି ଟ୍ରମ୍ପ ।
ଗାଜା ଶାନ୍ତି ସମ୍ମିଳନୀରେ ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ପ । ଭାରତ ଗୋଟିଏ ମହାନ ଦେଶ ବୋଲି କହିବା ସହିତ ମୋଦୀଙ୍କୁ ଜଣେ ଭଲ ବନ୍ଧୁ ବୋଲି ଅଭିହିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଇଜିପ୍ଟରେ ଅନୁଷ୍ଠିତ ସମ୍ମିଳନୀରେ ଟ୍ରମ୍ପ ତାଙ୍କର ଅଭିଭାଷଣ ବେଳେ ମୋଦୀଙ୍କ ପ୍ରଶଂସା କରିଛନ୍ତି । ଏହି ସମ୍ମିଳନୀରେ ୨୦ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ । ଏହା ପୂର୍ବରୁ ମୋଦୀ ଓ ଟ୍ରମ୍ପ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ । ଐତିହାସିକ ଗାଜା ଶାନ୍ତି ଯୋଜନା ସଫଳ ହୋଇଥିବାରୁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦୀ ।