ଚୀନ ଉପରେ ୧୦୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢ଼େଇ ତୀବ୍ର ହୋଇଛି। ଚୀନର ସମସ୍ତ ଆମଦାନି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଏଥିସହିତ ଆମେରିକାରେ ନିର୍ମାଣ ହେଉଥିବା ଗୁରୁତ୍ବପୂର୍ଣ୍ଣ ସଫ୍ଟୱେର ଚୀନକୁ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଆସନ୍ତା ନଭେମ୍ବର ୧ରୁ ଏହା କାର୍ଯ୍ୟକାରୀ ହେବ। ଟ୍ରମ୍ପଙ୍କ ଏହି ଘୋଷଣା ପରେ ବିଶ୍ବର ସବୁଠୁ ବଡ଼ ଦୁଇଟି ଅର୍ଥନୀତି ମଧ୍ୟରେ ବାଣିଜ୍ୟ ଲଢ଼େଇ ଆଗାମୀ ଦିନରେ ଅଧିକ ତୀବ୍ରତର ‌ହେବ ବୋଲି ଆଶଙ୍କା କରାଯାଉଛି। ଟ୍ରମ୍ପଙ୍କ ଦ୍ବାରା ନୂଆକରି ଘୋଷଣା କରାଯାଇଥିବା ଶୁଳ୍କ ଲାଗୁ ହେଲେ ଚୀନ ଉପରେ ଆମେରିକାର ଶୁଳ୍କ ପ୍ରାୟ ୧୩୦ ପ୍ରତିଶତ ସ୍ତରରେ ପହଞ୍ଚିବ।

ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲ୍‌ରେ ଏ ନେଇ ପୋଷ୍ଟ୍‌ କରିଛନ୍ତି। ‌ସେଥିରେ ସେ ଅଭିଯୋଗ କରିଛନ୍ତି ଯେ ବାଣିଜ୍ୟ ପ୍ରସଙ୍ଗରେ ବେଜିଂ ଅତ୍ୟଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛି। ଆମେରିକା ଏହାର କଡ଼ା ଜବାବ ଦେବ। ଯଦି ଚୀନ ପୁନର୍ବାର କୌଣସି କାର୍ଯ୍ୟାନୁଷ୍ଠାନ ନିଏ ତା’ହେଲେ ନଭେମ୍ବର ୧ ପୂର୍ବରୁ କଟକଣା ଲାଗୁ ହେବା ନେଇ ଟ୍ରମ୍ପ ଧମକାଇଛନ୍ତି। ଚୀନ ଉପରେ ଆମେରିକା ବର୍ତ୍ତମାନ ଯେଉଁ ଶୁଳ୍କ ଆଦାୟ କରୁଛି ତାହା ଉପରେ ଅତିରିକ୍ତ ୧୦୦ ପ୍ରତିଶତ ଶୁଳ୍କ ଆଦାୟ କରିବ। ଏଥିସହିତ ନଭେମ୍ବର ପହିଲାରୁ ଆମେ ଚୀନକୁ ଯେକୌଣସି ଗୁରୁତ୍ବପୂର୍ଣ୍ଣ କିମ୍ବା ସମସ୍ତ ଗୁରୁତ୍ବପୂର୍ଣ୍ଣ ସଫ୍ଟୱେର ରପ୍ତାନି ଉପରେ କଟକଣା ଲଗାଇବୁ ବୋଲି ଟ୍ରମ୍ପ କହିଛନ୍ତି।

ଚୀନ ଏହାର ପ୍ରାୟ ସମସ୍ତ ରପ୍ତାନି ଉପରେ କଟକଣା ଲଗାଇବା ନେଇ ରିପୋର୍ଟ ମିଳିବା ପରେ ୱାସିଂଟନ ଏଭଳି ପଦକ୍ଷେପ ନେଇଛି ବୋଲି ଟ୍ରମ୍ପ କହିଛନ୍ତି। ଅନ୍ୟ ଦେଶ ପ୍ରତି ବେଜିଂର ଆଚରଣ ଅପମାନଜନକ ବୋଲି ସେ କହିଛନ୍ତି। ଟ୍ରମ୍ପ କହିଛନ୍ତି ସାରା ବିଶ୍ବକୁ ଚୀନ ଏକ ଚିଠି ଲେଖିଛି। ସେଥିରେ ବେଜିଂ ଉଲ୍ଲେଖ କରିଛି ଆସନ୍ତା ନଭେମ୍ବର ପହିଲାରୁ ବସ୍ତୁତଃ ତାଙ୍କ ଦେଶ ଉତ୍ପାଦନ କରୁଥିବା ସବୁ ଉତ୍ପାଦ ଉପରେ ବଡ଼ଧରଣର ରପ୍ତାନି କଟକଣା ଲଗାଇବ। ଏପରିକି ତାଙ୍କ ଦେଶ ଦ୍ବାରା ଉତ୍ପାଦନ ହେଉ ନଥିବା କେତେକ ଉତ୍ପାଦ ମଧ୍ୟ ରହିଛି। ଏହା ବିଶ୍ବର ସବୁ ଦେଶକୁ ପ୍ରଭାବିତ କରିବ। ପୂର୍ବରୁ ବେଜିଂ ଏ ନେଇ ଯୋଜନା ରଖିଥିବା ସ୍ପଷ୍ଟ ହୋଇଛି। ଅନ୍ତର୍ଜାତୀୟ ବାଣିଜ୍ୟରେ କିନ୍ତୁ ସାଧାରଣତଃ ଏଭଳି ହୋଇ ନଥାଏ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଏହି ପୋଷ୍ଟ୍‌ କରିବା ପୂର୍ବରୁ ଅନ୍ୟ ‌ଏକ ପୋଷ୍ଟ୍‌ କରିଥିଲେ। ସେଥିରେ ସେ ଚୀନ ରାଷ୍ଟ୍ରପତିଙ୍କ ସହିତ ଆସନ୍ତା ୨ ସପ୍ତାହ ମଧ୍ୟରେ ଦକ୍ଷିଣ କୋରିଆର ଆପେକ୍‌ ସମ୍ମିଳନୀରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ସାକ୍ଷାତ କାର୍ଯ୍ୟକ୍ରମକୁ ବାତିଲ ଧମକ ଦେଇଛନ୍ତି।

Leave a comment