ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ

ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ I ରାଜ୍ୟର କିଛି  ସ୍ଥାନରୁ ମୌସୁମୀ ବିଦାୟ ନେବା ପାଇଁ ପାଗ ସମ୍ପୂର୍ଣ୍ଣ  ଅନୁକୂଳ ରହିଛି । ତେବେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମେଘୁଆ ପାଗ ସହ କିଛି ସ୍ଥାନରେ ଲାଗିରହିଛି ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ଜନିତ ବର୍ଷା ହେବ । ବିଶେଷକରି ଉପକୂଳ ଓ ଉତ୍ତର-ଆଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଜି ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ କାଁ ଭାଁ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା । ଖୁବଶୀଘ୍ର ରାଜ୍ୟକୁ ଶୀତ ଛୁଇଁବ । ଆସନ୍ତା ୧୫ ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆକଳନ କରାଯାଉଛି । ପାଣିପାଗ ବିଶେଷଜ୍ଞଙ୍କ ମତରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ । ‌ତେବେ ୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ । ୧୫ ତାରିଖରୁ ରାତିରେ ତାପମାତ୍ରା କ୍ରମଶଃ କମିବ । ୧୭ ତାରିଖ ସୁଦ୍ଧା କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରି ତାପମାତ୍ରା କମିପାରେ । କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ତାପମାତ୍ରା ସବୁଠାରୁ କମ୍‌ ରହିବ । ଏହି ସବୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମ୍‌ ହେତୁ ଶିଶିରପାତ ସହ କୁହୁଡ଼ି ହେବାର ସମ୍ଭାବନା ରହିଛି । ୧୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରରେ ୫ ଦିନରୁ ଅଧିକ ରହିବ । ଫଳରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ତେବେ କେତେ ଘନୀଭୂତ ହେବ ଏବଂ ଏହା କେଉଁ ଆଡ଼କୁ ଗତି କରିବ ବର୍ତ୍ତମାନ ତାହା କହିହେବ ନାହିଁ ।

Leave a comment